Unknown

 

 

 

 

 

 

 

 

 

 

 

ବୌଦ୍ଧରାଜ ଅଶୋକ

ଶ୍ରୀ ରାଜକିଶୋର ମହାନ୍ତି

 

 

 

 

 

 

 

 

 

ଉତ୍ସର୍ଗପତ୍ର

 

ଭକ୍ତିର ନିଦର୍ଶନ ସ୍ୱରୂପ ସତ୍ୟ, ଶାନ୍ତି ଓ ମୈତ୍ରୀର ପ୍ରତିମୂର୍ତ୍ତି ବୌଦ୍ଧରାଜ ଅଶୋକଙ୍କ ଜୀବନ କାହାଣୀ ପୂଜନୀୟ ଗୁରୁଦେବ ଶ୍ରୀ ବାଉରିବନ୍ଧୁ ପାଣିଗ୍ରାହୀଙ୍କ କର-କମଳରେ ଅର୍ପଣ କଲି ।

 

ଲେଖକ

Image

 

ନିଜ କଥା

 

ସାହିତ୍ୟ ଭାଷାର ଏକ ଅପରିହାର୍ଯ୍ୟ ଅଙ୍ଗ । ଭାଷା ଶିକ୍ଷା ପରେ ସାହିତ୍ୟ ପାଠ କରିବା ଏକାନ୍ତ ଆବଶ୍ୟକ କାରଣ ଏହା ସହିତ ଭାଷାର ଅବିଭାଜ୍ୟ ସମ୍ପର୍କ ବିଦ୍ୟମାନ । ଭୂଗୋଳ, ଇତିହାସ,ବିଜ୍ଞାନକୁ ସାହିତ୍ୟର ଅନ୍ତର୍ଭୁକ୍ତ କରି ପାରିଲେ ଭାଷାର ସମୃଦ୍ଧି ଘଟେ । ବୌଦ୍ଧରାଜ ଅଶୋକ ଲେଖାଟି ଐତିହାସିକ ବିଷୟ ବସ୍ତୁ ହେଲେ ମଧ୍ୟ ଏହାକୁ ସାହିତ୍ୟର ଆବରଣ ତଳେ ରଖା ଯାଇଛି । ଏହି ଲେଖା ପ୍ରକାଶ କରିବା ପାଇଁ ସ୍ଥାନୀୟ ବହୁ ବିଶିଷ୍ଟ ଭଦ୍ରବ୍ୟକ୍ତିଙ୍କ ଉତ୍ସାହ ଓ ସାହାଯ୍ୟ ମିଳିଥିବାରୁ ମୁଁ ସେମାନଙ୍କ ନିକଟରେ ଚିରକୃତଜ୍ଞ । ଉକ୍ତ ଲେଖା ପାଠକ ପାଠିକାମାନଙ୍କ ମନରେ ଆନନ୍ଦ ସଞ୍ଚାର କରିପାରିଲେ ମୁଁ ନିଜକୁ ଗୌରବାନ୍ୱିତ ମନେ କରିବି ।

 

। ଇତି ।

ଲେଖକ

Image

 

ସୂଚୀପତ୍ର

 

୧.

ଉପକ୍ରମ

୨.

ଉପାଦାନ ସଂଗ୍ରହ (ଶାସନସଂସ୍ଥା)

୩.

ଧର୍ମଗ୍ରହଣ

୪.

ଧର୍ମପ୍ରଚାର

୫.

ଯୁଗ-ସମାଜ

୬.

ଲିପି

୭.

ପୃଥିବୀରେ ଅଶୋକଙ୍କ ସ୍ଥାନ

୮.

ସତ୍ୟର ଅବତାରଣା

୯.

ଉପସଂହାର

Image

 

ଉପକ୍ରମ

 

ମହାପୁରୁଷ ବୁଦ୍ଧ ଯେଉଁ ଧର୍ମତତ୍ତ୍ୱ ଆମ୍ଭମାନଙ୍କୁ ଶୁଣାଇ ଦେଇ ଯାଇଛନ୍ତି ତାହାର ନାମ ବୌଦ୍ଧଧର୍ମ । ଏହି ଧର୍ମର ମୂଳମନ୍ତ୍ର ଅହିଂସା । ଯୁଗ ଯୁଗ ବ୍ୟାପି ଅହିଂସା ପୃଥିବୀ ଉପରେ ପ୍ରଭାବ ପକାଇ ଆସୁଛି । କାଳର ସର୍ବଗ୍ରାସୀ ଜିହ୍ୱା ଏହାକୁ ଧରାପୃଷ୍ଠରୁ ଲୋପ କରିପାରିନାହିଁ । ଆଜିକାଲି ବିଜ୍ଞାନ ଯୁଗରେ ମଧ୍ୟ ମନୁଷ୍ୟ ଜାତିକୁ ବଞ୍ଚାଇବା ପାଇଁ ଅହିଂସା ଏକମାତ୍ର ପଥ ବୋଲି ସମସ୍ତେ ଅଳ୍ପ ବହୁତ ହୃଦୟଙ୍ଗମ କଲେଣି । ଏହି ପଥ ଅତ୍ୟନ୍ତ ଉଜ୍ଜ୍ୱଳ । ତାହା ସତ୍‌ମାର୍ଗରେ ମନୁଷ୍ୟକୁ ପରିଚାଳିତ କରେ । ବୌଦ୍ଧଧର୍ମ ପୃଥିବୀବ୍ୟାପୀ ପ୍ରସିଦ୍ଧି ଲାଭ କରିଛି । ଏହି ଧର୍ମକୁ ନରପତି ଅଶୋକ ବିଶ୍ୱ ଧର୍ମ ରୂପେ ପ୍ରଚାର କରି ଜଗତରେ ଅମର କୀର୍ତ୍ତି ସଂସ୍ଥାପନ କରି ଯାଇଛନ୍ତି ।

 

ଅଶୋକ ମୌର୍ଯ୍ୟ ବଂଶର ସ୍ଥାପୟିତା ଚନ୍ଦ୍ରଗୁପ୍ତଙ୍କର ନାତି ଓ ବିନ୍ଦୁସାରଙ୍କ ପୁତ୍ର ଅଟନ୍ତି । ତାହାଙ୍କର ବାଲ୍ୟଜୀବନ ବିଷୟରେ ବହୁତ ଗଳ୍ପ ଅଛି । ଉପଯୁକ୍ତ ପ୍ରମାଣ ଅଭାବରେ ଆମ୍ଭେମାନେ ସେ ସବୁ ଉପରେ ପୂର୍ଣ୍ଣମାତ୍ରାରେ ନିର୍ଭର କରିପାରିବା ନାହିଁ । କଥିତ ଅଛି, ଅଶୋକ ତାଙ୍କ ଅନେଶତ ଭ୍ରାତାଙ୍କୁ ନିହତ କରି ମଗଧ ସିଂହାସନ ଅଧିକାର କରିଥିଲେ । ତାହା କେତେଦୂର ସତ୍ୟ ଜଣା ପଡ଼େ ନାହିଁ । କେତେକ ଐତିହାସିକ କହନ୍ତି ସେ ଯୁଦ୍ଧ କରି ସିଂହାସନ ଅଧିକାର କଲେ ଓ ଆଉ କେତେକ ମତବ୍ୟକ୍ତ କରନ୍ତି ଯେ ସିଂହାସନ ପ୍ରଦାନ ପାଇଁ ପିତା ବିନ୍ଦୁସାର ସମସ୍ତ ପୁତ୍ରଙ୍କୁ ଆହ୍ୱାନ କରିଥିଲେ । ଗୁରୁ ପିଙ୍ଗଳ ରାଜପୁତ୍ରମାନଙ୍କୁ ପରୀକ୍ଷା କରିଥିଲେ । ଅଶୋକ ଉକ୍ତ ପରୀକ୍ଷାରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରି ସିଂହାସନର ଭାଗୀଦାର ହୋଇ ପାରିଥିଲେ । ବାଲ୍ୟାବସ୍ଥାରେ ସେ ଅତ୍ୟନ୍ତ ନିର୍ମମ ଥିଲେ ବୋଲି ଐତିହାସିକମାନେ କହନ୍ତି । ଏକଦା କତିପୟ ରମଣୀ ତାଙ୍କ ଉଦ୍ୟାନରେ ଥିବା ଅଶୋକ ବୃକ୍ଷର ଶାଖାପ୍ରଶାଖା ଭଗ୍ନ କରିବାରୁ ସେ ସେମାନଙ୍କୁ ଜ୍ୱଳନ୍ତ ଅଗ୍ନିରେ ନିକ୍ଷେପ କରିଥିଲେ । ତେଣୁ ତାଙ୍କୁ ଚଣ୍ଡାଶୋକ ଆଖ୍ୟା ଦିଆଯାଇଛି । ପରେ ସେ ବୌଦ୍ଧଧର୍ମ ଗ୍ରହଣ କରି ଧର୍ମାଶୋକ ନାମରେ ଅଭିହିତ ହେଲେ । କେହି କେହି ଅନୁମାନ କରନ୍ତି ବୌଦ୍ଧମାନେ ନିଜ ଧର୍ମର ମାହାତ୍ମ୍ୟ ବଢ଼ାଇବା ନିମିତ୍ତ ଏପରି ପ୍ରଚାର କରିପାରିଥାନ୍ତି । ସେ ଯାହା ହେଉନା କାହିଁକି, ଅଶୋକଙ୍କ ଶିଳା, ସ୍ତମ୍ଭ ଓ ଗୁମ୍ଫା ଖୋଦିତ ଅନୁଶାସନଗୁଡ଼ିକ ଆମ୍ଭମାନଙ୍କ ସମ୍ମୁଖରେ ମୂର୍ତ୍ତିମନ୍ତ ରହି ତାଙ୍କ ଜୀବନର ରହସ୍ୟମୟ ଘଟନାରାଶି ଉଦ୍‌ଘାଟନ କରିବା ପାଇଁ ସତେ ଯେପରି ବ୍ୟାକୁଳ ହୋଇ ପଡ଼ିଛନ୍ତି । ପ୍ରତ୍ନତତ୍ତ୍ୱବିତ୍‌ମାନେ ଅନୁଶାସନ ଗୁଡ଼ିକରେ ଲିଖିତ ପାଲି ଓ ବ୍ରାହ୍ମୀ ଲିପି ପାଠ କରି ଆମ୍ଭମାନଙ୍କ ସମ୍ମୁଖରେ ସତ୍ୟାସତ୍ୟ ଘଟଣା ଉପସ୍ଥାପିତ କରି ପାରିଛନ୍ତି ।

 

ଶିଳାଲିପି ଦୁଇପ୍ରକାର, ଯଥା :– ଚତୁର୍ଦ୍ଦଶ ଓ କ୍ଷୁଦ୍ର ଶିଳାଲିପି । ଚତୁର୍ଦ୍ଦଶ ଶିଳାଲିପି ଭାରତର ସାତୋଟି ସ୍ଥାନରେ ରହିଅଛି । କ୍ଷୁଦ୍ର ଶିଳାଲିପି ମଧ୍ୟରୁ ତିନୋଟି ମହୀଶୁରରେ ଓ ଚାରୋଟି ଲେଖାଏଁ ଭାରତର ଅନ୍ୟ କେତେକ ସ୍ଥାନରେ ଦେଖାଯାଏ । କୌଣସି କୌଣସି ସ୍ଥାନରେ ସାତୋଟି ସ୍ତମ୍ଭଲିପି ଥିବାର ଜଣାଯାଇଛି । ଅନେକ ସ୍ଥାନରେ ମହାମନା ଅଶୋକଙ୍କା ଗୁମ୍ଫା ଲିପି ପରିଦୃଷ୍ଟ ହୁଏ । ବିହାରର ବାରାବର ପର୍ବତର ତେତିଶ ଗୋଟି ଗୁମ୍ଫାରେ ତାଙ୍କ ଅନୁଶାସନ ଖୋଦିତ ହେବାର ପ୍ରମାଣ ମିଳିଛି । ସେ ସବୁ ପାଠ କଲେ ଅଶୋକଙ୍କ ଶାସନ, ଧର୍ମବିଶ୍ୱାସ ଓ ଧର୍ମ ପ୍ରଚାର ସମ୍ବନ୍ଧରେ ଆମ୍ଭେମାନେ ସମ୍ୟକ ଜ୍ଞାନ ଅର୍ଜ୍ଜନ କରି ପାରିବା ।

 

ଏହି ଶିଳା ସ୍ତମ୍ଭ ଓ ଗୁମ୍ଫା ଖୋଦିତ ପାଲି ଓ ବ୍ରାହ୍ମୀ ଲିପି ପାଠ କରି ପ୍ରିନସେପ୍‌ ଓ ଟରନର୍ ସାହେବ ଜଣାଇଛନ୍ତି ଯେ ଅଶୋକ ପ୍ରିୟଦର୍ଶୀ ରାଜା ନାମରେ ପରିଚିତ ଥିଲେ । ଶୋଲାପୁର ଜିଲା ମାସ୍କି ଶିଳାଲିପିରେ ଲେଖାଅଛି ସେ ମୌର୍ଯ୍ୟବଂଶର ସ୍ଥାପୟିତା ଚନ୍ଦ୍ରଗୁପ୍ତଙ୍କର ନାତି ଅଟନ୍ତି । ସେହି ଶିଳାଲିପିରେ ଅଶୋକଙ୍କ ପୂର୍ଣ୍ଣନାମ ଖୋଦିତ ହୋଇଛି । ଅନେକ ସ୍ଥଳରେ ସେ ନିଜ ନାମ ସହିତ ଦେବାନାଂପ୍ରିୟ ପ୍ରିୟଦର୍ଶୀ ରାଜା ଉପାଧି ଯୋଗକରି ଲେଖି ଯାଇଛନ୍ତି । ତାଙ୍କ ସମୟରେ ମହାରାଜା ଓ ରାଜାଧିରାଜ ପ୍ରଭୃତି ଉପାଧି ନ ଥିଲା ।

 

ଅଶୋକଙ୍କ ପୂର୍ବରୁ ଏହି ଉପାଧି ରାଜାମାନଙ୍କର ଥିବାର ଚାଣକ୍ୟଙ୍କର ଅର୍ଥଶାସ୍ତ୍ରରୁ ଜଣାପଡ଼େ । ସିଂହଳ ପ୍ରଭୃତି ତାଙ୍କ ସମସାମୟିକ ରାଜାମାନଙ୍କର ମଧ୍ୟ ଦେବାନାଂ ପ୍ରିୟ ପ୍ରିୟଦର୍ଶୀ ରାଜା ଉପାଧି ଥିଲା । ନାଗାର୍ଜ୍ଜୁନ ପର୍ବତର ଖୋଦିତ ଲିପିରୁ ଜଣାଯାଏ ଅଶୋକଙ୍କ ନାତି ଦଶରଥଙ୍କ ମଧ୍ୟ ଏହି ଉପାଧି ଥିଲା । ପ୍ରିୟଦର୍ଶୀ ଅର୍ଥ ଯେ ସମସ୍ତଙ୍କୁ ସସ୍ନେହ ଦୃଷ୍ଟିରେ ଦେଖନ୍ତି । ଦେବାନାଂ ପ୍ରିୟ କହିଲେ ବୁଝାପଡ଼େ, ରାଜା ଈଶ୍ୱରଙ୍କର ଏକମାତ୍ର ବିଶ୍ୱସ୍ତ ବ୍ୟକ୍ତି । ଖ୍ରୀଷ୍ଟଜନ୍ମ ପୂର୍ବରୁ ରାଜାମାନେ ପ୍ରଜାମାନଙ୍କର ବିଶ୍ୱାସ ଓ ଭକ୍ତିର ପାତ୍ର ହେବା ପାଇଁ ନିଜ ନିଜକୁ ଏପରି ନାମିତ କରୁଥିଲେ । ପାରସ୍ୟର ରାଜା ଡେରାୟସଙ୍କ ସମୟରେ ପାରସ୍ୟ ଦେଶରେ ଏହି ପରି କେତେକ ଶବ୍ଦ ପ୍ରଚଳିତ ଥିଲା । ଏହା ଯଦି ସତ୍ୟ ହୁଏ ତାହା ହେଲେ ଉତ୍ତର ଭାରତକୁ ଆସିଥିବା ଗ୍ରୀକମାନଙ୍କ ପ୍ରଭାବରୁ ଏହିପରି ଶବ୍ଦ ଭାରତରେ ପ୍ରବେଶ କରି ପାରିଥିବ ।

 

ଅଶୋକ ଯେ କୌଣସି ସମୟରେ ନିଜ ଜୀବନ କାହାଣୀ ପ୍ରସ୍ତର ଦେହରେ ଖୋଦନ କଲେ ସୁଦ୍ଧା ସେ ରାଜ୍ୟାଭିଷେକ ବର୍ଷପରଠାରୁ ବର୍ଷ ଗଣନା ଆରମ୍ଭ କରିଛନ୍ତି । ସିଂହଳୀୟ କିମ୍ବଦନ୍ତୀରୁ ଜଣାଯାଏ, ସେ ସିଂହାସନାରୋହଣର ଚତୁର୍ଥ ବର୍ଷରେ ରାଜ୍ୟାଭିଷିକ୍ତ ହୋଇଥିଲେ । ସେ ପ୍ରତିବର୍ଷ ରାଜ୍ୟାଭିଷେକ ଉତ୍ସବ ପାଳନ କରୁଥିଲେ । ସେହିଦିନ କାରାଗାରରୁ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିଦିଆ ଯାଉଥିଲା । ଗଣକ, ରାଜା ଓ ରାଜ୍ୟର ଭାଗ୍ୟ ବର୍ଷକ ପାଇଁ ଗଣନା କରୁଥିଲେ । ସାଧାରଣତଃ ପୁଷ୍ୟା ଓ ପୁନର୍ବସୁ ନକ୍ଷତ୍ର ଦିନ ଅଶୋକଙ୍କର ଅଭିଷେକୋତ୍ସବ ପାଳିତ ହେଉଥିଲା । ସିଂହଳୀୟ କିମ୍ବଦନ୍ତୀରୁ ପୁନଶ୍ଚ ଜଣାପଡ଼େ ଅଶୋକ ତାଙ୍କ ଅନେଶତ ଭ୍ରାତାଙ୍କୁ ନିହତ କରି ସିଂହାସନାରୁଢ଼ ହୋଇଥିଲେ । ଏହା ମନଗଢ଼ା ଗପ ବୋଲି କେତେକ ଐତିହାସିକ ମତ ପ୍ରକାଶ କରିଛନ୍ତି । କାରଣ ଶିଳାଲିପିରେ ଖୋଦିତ ହୋଇଛି ଅଶୋକଙ୍କ ରାଜତ୍ୱ ସମୟରେ ତାଙ୍କ ଭାଇ ଓ ଭଉଣୀମାନେ ପାଟଳୀପୁତ୍ର ଓ ରାଜ୍ୟର ଅନ୍ୟାନ୍ୟ କେତେ ସ୍ଥାନରେ ବାସ କରୁଥିଲେ ।

 

ସ୍ତମ୍ଭ ଓ ଶିଳାଲିପି ଗୁଡ଼ିକରେ ଅଶୋକଙ୍କ ଧର୍ମ ପ୍ରଚାରର ବିଶେଷତ୍ୱ, ବ୍ୟକ୍ତିଗତ ଓ ସାଧାରଣ ଜୀବନର ବହୁ ତଥ୍ୟ ଉଲ୍ଲେଖ କରାଯାଇଛି । ତାଙ୍କ ରାଣୀମହଲରେ କେତେ ରାଣୀ ରହୁଥିଲେ, ତାହା ଜଣାଯାଏ ନାହିଁ । ତାଙ୍କ ଦୁଇଟି ରାଣୀରୁ କମ୍ ନଥିଲେ ବୋଲି ଆମ୍ଭେମାନେ ନିଶ୍ଚୟ ଜାଣିପାରିବା । କାରଣ ଶିଳାଲିପିରେ ଦ୍ୱିତୀୟ ରାଣୀ କୁରୁବକୀ ଓ ତାଙ୍କ ଗର୍ଭଜାତ ପୁତ୍ର ତିବାରାର ନାମ ଖୋଦିତ ହୋଇଛି । ସେହିପରି କୌଣସି ବିଶେଷ ଗୁଣ ହେତୁ ଏହି ରାଣୀଙ୍କ ନାମ ଚିରସ୍ମରଣୀୟ ରଖିବା ଲାଗି ମହାମନା ଅଶୋକ ଏପରି କରି ପାରିଥିବେ । କେତେଗୁଡ଼ିଏ ସ୍ୱତନ୍ତ୍ର କର୍ମଚାରୀ ରାଜପ୍ରାସାଦର ସମସ୍ତ କାର୍ଯ୍ୟ ପରିଦର୍ଶନ କରିବାକୁ ନିଯୁକ୍ତ ହୋଇଥିଲେ । ଏହା ବ୍ୟତୀତ ଅଶୋକଙ୍କ ରାଜଧାନୀ ଓ ରାଜ୍ୟର ଅନେକ ଅଞ୍ଚଳରେ ନାରୀମହଲମାନ ପ୍ରତିଷ୍ଠିତ ଥିଲା-। ସେଥିରେ ତାଙ୍କ ରାଣୀଙ୍କ ବ୍ୟତୀତ ନିମ୍ନ ସ୍ତରର ସ୍ତ୍ରୀମାନେ ମଧ୍ୟ ରହୁଥିଲେ । ସିଂହଳୀୟ କିମ୍ବଦନ୍ତୀରୁ ଜଣାଯାଏ, ସେ ଯେତେବେଳେ ଉଜ୍ଜୟିନୀରେ ତାଙ୍କ ପିତାଙ୍କଦ୍ୱାରା ରାଜପ୍ରତିଭୂରୂପେ ନିଯୁକ୍ତ ହୋଇଥିଲେ, ସେ ସମୟରେ ସେ ତତ୍ରତ୍ୟ ଗୋଟିଏ ରଜକୀ ସହିତ ପ୍ରେମ ପାଶରେ ଆବଦ୍ଧ ହୋଇଥିଲେ । ଅଶୋକ ସିଂହାସନ ଆରୋହଣ ନିମିତ୍ତ ପାଟଳୀପୁତ୍ରରେ ପଦାର୍ପଣ କଲା ସମୟରେ ସେହି ରଜକୀ ଗର୍ଭପ୍ରସୂତ ସନ୍ତାନଗଣ ମଗଧର ରାଜଧାନୀ ପାଟଳୀପୁତ୍ରକୁ ଆସିଥିଲେ-। ଶିଳାଲିପିରୁ ଜଣାଯାଏ ଏହିପରି ନାରୀମହଲ ମଧ୍ୟ ମଫସଲର ବହୁ ଅଞ୍ଚଳରେ ଅଶୋକଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ସେ ନିଜ ରାଣୀଙ୍କ ଗର୍ଭରୁ ଜାତ ହୋଇଥିବା ସନ୍ତାନ ମାନଙ୍କୁ କୁମାର ଓ ଅନ୍ୟ ସ୍ତ୍ରୀ ଗର୍ଭରୁ ଜାତ ହୋଇଥିବା ସନ୍ତାନମାନଙ୍କୁ କୁମାର ଓ ଅନ୍ୟ ସ୍ତ୍ରୀ ଗର୍ଭଜାତ ସନ୍ତାନମାନଙ୍କୁ ଦେବୀକୁମାର ନାମରେ ସମ୍ବୋଧନ କରୁଥିଲେ । ସମୟ ସମୟରେ ତାଙ୍କ ଭାଇ ଓ ଅନ୍ୟାନ୍ୟ ସମ୍ପର୍କୀୟ ଭାଇମାନଙ୍କୁ ମଧ୍ୟ ଦେବୀକୁମାର ଆଖ୍ୟା ଦିଆଯାଉଥିଲା । ସେ ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ରାଜପ୍ରତିଭୂ ରୂପେ ନିମ୍ନଲିଖିତ ସ୍ଥାନକୁ ପ୍ରରଣ କରିଥିଲେ । ଯଥା–ତକ୍ଷଶିଳା, ଉଜ୍ଜୟିନୀ, ତୋଷାଳୀ ଓ ସୁବର୍ଣ୍ଣଗିରି । ଅଶୋକଙ୍କର କେତେ ପୁତ୍ର ଥିଲେ ତାହା ସଠିକ ଭାବରେ ଜଣା ନପଡ଼ିଲେ ମଧ୍ୟ ତାଙ୍କର ଚାରି ପୁଅରୁ କମ୍ ନଥିଲେ ବୋଲି ଆମେ ଅନୁମାନ କରିପାରିବା ।

 

ଆଶ୍ଚର୍ଯ୍ୟର ବିଷୟ, ଅଶୋକ ଯେ କୌଣସି ସମୟରେ ରାଜ୍ୟର ଖବର ରଖିପାରୁଥିଲେ । ଭୋଜନ, ଉପବେଶନ, ଅଶ୍ୱାରୋହଣ ଓ ଉଦ୍ୟାନ ଭ୍ରମଣ ସମୟରେ ମଧ୍ୟ ସେ ପ୍ରଜାମାନଙ୍କ ଗୁହାରି ଶୁଣିବାକୁ ପ୍ରସ୍ତୁତ ଥିଲେ । ଯେତେବେଳେ ତାଙ୍କୁ ନିଦ୍ରା ହେଉ ନଥିଲା ସେ ସମୟରେ ସେ ଫଳ ବଗିଚାରେ ଆୟାସ ସହକାରେ ଭ୍ରମଣ ବା ଅଶ୍ୱାରୋହଣ ପ୍ରଭୃତି କାର୍ଯ୍ୟ କରୁଥିଲେ; ନତୁବା ରାଜପ୍ରସାଦର କୌଣସି ଲୋକ ସହିତ ଗପସପ କରି ସମୟ କଟାଉଥିଲେ । ସେ ବୌଦ୍ଧଧର୍ମ ଗ୍ରହଣ କରିବା ପୂର୍ବରୁ ମାଂସାଶୀ ଥିଲେ । ପ୍ରତ୍ୟହ ତାଙ୍କ ଭୋଜନ ନିମିତ୍ତ ପ୍ରସ୍ତୁତ ହେବା ତରକାରୀ ଲାଗି ଗୋଟିଏ ମୃଗ ଓ ଦୁଇଟି ମୟୂର ମରାଯାଉଥିଲେ । ରାଜ୍ୟରେ ଜୀବବଧ ନିଷେଧ କରି ସୁଦ୍ଧା ତାଙ୍କ ଖାଦ୍ୟସକାଶେ ଜୀବବଧ କରିବାକୁ ସେ ଆଦେଶ ଦେଉଥିଲେ । ସେ ମୟୂର ମାଂସକୁ ଅତ୍ୟନ୍ତ ଭଲ ପାଉଥିଲେ । କିନ୍ତୁ ବୌଦ୍ଧଧର୍ମ ଗ୍ରହଣ ପରେ ସେ ସମ୍ପୂର୍ଣ୍ଣ ନିରାମିଷ ଭୋଜନର ପକ୍ଷପାତୀ ଥିଲେ । ଅଷ୍ଟମ ଶିଳାଲିପିରୁ ଜଣାଯାଏ ସେ ବିହାରଯାତ୍ରା ବା ଆମୋଦ ଭ୍ରମଣକୁ ଅତି ସୁଖକର ମନେ କରୁଥିଲେ । ପରେ ସେ ଅବଶ୍ୟ ଏହି ଯାତ୍ରାକୁ ଧର୍ମଯାତ୍ରାରେ ପରିଣତ କରିଥିଲେ । ରାଜତ୍ୱର ଦଶମ ବର୍ଷରେ ସେ ବୁଦ୍ଧଗୟା ଦର୍ଶନ କରିଥିଲେ । ବିହାର ଯାତ୍ରା ସମୟରେ ରାଜା ଶିକାର କରୁଥିଲେ । ଏପରି ବିହାର ଯାତ୍ରା ମଧ୍ୟ ତାଙ୍କ ପୂର୍ବପୁରୁଷମାନଙ୍କଦ୍ୱାରା ଅନୁଷ୍ଠିତ ହେଉଥିଲା । ଏହି ଯାତ୍ରାର ବିଶେଷତ୍ୱ ଏହି ଯେ ସ୍ତ୍ରୀ ଲୋକମାନେ ରାଜାଙ୍କ ଚତୁର୍ଦ୍ଦିଗରେ ଘେରି ରହୁଥିଲେ । ବାହାରେ ବୃତ୍ତାକାରରେ ବର୍ଚ୍ଛାଧାରୀ ଶିକାରଗଣ ଦଣ୍ଡାୟମାନ ହେଉଥିଲେ । ଦଉଡ଼ି ଦ୍ୱାରା ଜଙ୍ଗଲର କିୟଦଂଶ ଘେରାଉ କରାଯାଉ ଥିଲା । ସମ୍ମୁଖରେ ଡ୍ରମ ବାଦନ କରି କେତେକ ଲୋକ ଏହି ଶୋଭାଯାତ୍ରାକୁ ଚଳାଉଥିଲେ । ରାଜା ଗୋଟିଏ ଉଚ୍ଚ ସ୍ଥାନ ଉପରେ ଦଣ୍ଡାୟମାନ ହୋଇ ଶିକାର କରୁଥିଲେ । ରାଜାଙ୍କ ଦେହରକ୍ଷୀ ରୂପେ ତାଙ୍କ ଉଭୟ ପାର୍ଶ୍ୱରେ ଦୁଇଟି ରମଣୀ ରହୁଥିଲେ । ସେମାନେ ଧନୁଶର, ତୀର, ବର୍ଚ୍ଛା ଆଦି ଧାରଣ କରୁଥିଲେ । ସମୟ ସମୟରେ ରାଜା ହସ୍ତୀ ଓ ରମଣୀମାନେ ଅଶ୍ୱ, ଗଜ ଓ ରଥାରୋହଣ କରି ଶିକାର ନିମିତ୍ତ ଉଦ୍ୟତ ହେଉଥିଲେ ।

 

ପ୍ରଜାମାନଙ୍କୁ ସନ୍ତୁଷ୍ଟ ରଖିବା ଲାଗି ଅଶୋକ ସମାଜ ଉତ୍ସବ ପାଳନ କରିଥିଲେ । ଏହି ସମାଜ ଉତ୍ସବରେ ଦୁଇ ପ୍ରକାର ଆମୋଦ ବନ୍ଦୋବସ୍ତ ଥାଏ । (୧) ଖାଦ୍ୟ ଓ ପାନୀୟ ବ୍ୟବସ୍ଥା (୨) ଗୀତ ବାଦ୍ୟ ନୃତ୍ୟ ଓ ମଲ୍ଲଯୁଦ୍ଧର ଆୟୋଜନ । ଖାଦ୍ୟରେ ମାଂସ ପ୍ରଧାନ ଅଂଶ ଗ୍ରହଣ କରୁଥିଲା । ଅଶୋକଙ୍କୁ ଅନୁକରଣ କରି ଭବିଷ୍ୟତରେ ଗୌତମୀ ପୁତ୍ର ସାତକର୍ଣ୍ଣି ଓ ଖାରବେଳ ମଧ୍ୟ ଏହିପରି ସମାଜ ଉତ୍ସବ ପାଳନ କରୁଥିଲେ । ବହୁ ସଂଖ୍ୟାରେ ଜୀବବଧ ହୋଇ ରାଜମହଲର ପାକଶାଳାକୁ ରନ୍ଧନ ନିମିତ୍ତ ମାଂସ ଯୋଗାଇ ଦିଆଯାଉଥିଲା । ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରି ଏହି ସମାଜର ରୂପ ବଦଳାଇ ଦେଲେ । ସେ ଦେଶସାରା ଜୀବବଧ ନିଷଦ୍ଧ କରିଦେଲେ । ସମାଜରୁ ମାଂସର ବ୍ୟବସ୍ଥା ଉଠାଇ ଦିଆଗଲା । ଗୀତ, ନୃତ୍ୟ, ମଲ୍ଲଯୁଦ୍ଧ ଓ ବାଦ୍ୟ ପରିବର୍ତ୍ତେ ଧର୍ମ ସମ୍ବନ୍ଧୀୟ ବକ୍ତୃତାମାନ ସମାଜରେ ପ୍ରଚଳିତ ହେଲା । ତାମସିକ ଭାବର ପରିବର୍ତ୍ତନ କରାଯାଇ ସାତ୍ତ୍ୱିକଭାବ ପ୍ରସାରିତ ହେଲା ଏବଂ ତାହା ପ୍ରଜାମାନଙ୍କ ପାଇଁ ବିଶୁଦ୍ଧ ନୀତିମୟ ଜୀବନଯାପନର ପଥ ସୁଗମ କରିଦେଲା ।

 

କଳିଙ୍ଗ ମହାସମର ସମୟରେ ଅଶୋକଙ୍କ ଜୀବନର ପଟ୍ଟ ପରିବର୍ତ୍ତିତ ହେଲା । ସେ ଉତ୍ତର ଭାରତର ସମସ୍ତ ରାଜ୍ୟ ଜୟ କରି ବୀରଭୂମି କଳିଙ୍ଗ ଅଭିମୁଖେ ଅଗ୍ରସର ହୋଇଥିଲେ । ପ୍ରାଚୀନ ଉତ୍କଳକୁ କଳିଙ୍ଗ କୁହାଯାଉଥିଲା । ଏହି ରାଜ୍ୟ ବୈତରଣୀ ଓ ଲଙ୍ଗୁଳିଆ ନଦୀ ମଧ୍ୟରେ ଅବସ୍ଥିତ ଥିଲା । କଳିଙ୍ଗ ଯୁଦ୍ଧରେ କଳିଙ୍ଗ ପକ୍ଷରୁ ଦେଢ଼ଲକ୍ଷ ଲୋକ ନିହତ ଓ ଏକଲକ୍ଷ ଲୋକ ବନ୍ଦୀ ହୋଇ ଥିଲେ । ଏହା ବ୍ୟତୀତ ଏହି ସମୟରେ ଲକ୍ଷାଧିକ ଲୋକ ରୋଗ ଓ ଅନାହାରରେ ପ୍ରାଣ ହରାଇଥିଲେ । କଳିଙ୍ଗ ପରି କ୍ଷୁଦ୍ର ରାଜ୍ୟରେ ଏପରି ନିର୍ମମ ହତ୍ୟାକାଣ୍ଡ ଅତୀବ ଶୋଚନୀୟ ଓ କରୁଣ ହୋଇ ପଡ଼ିଥିଲା । ଏହି ଯୁଦ୍ଧ ଧଉଳିପାହାଡ଼ ନିକଟସ୍ଥ ଦୟାନଦୀ କୂଳରେ ହୋଇଥିଲା । ଅଶୋକ କଳିଙ୍ଗ ଯୁଦ୍ଧର ବିଭତ୍ସ ଦୃଶ୍ୟ ଦର୍ଶନ କରିବାରୁ ତାଙ୍କ ନିର୍ମମ ହୃଦୟ ଦ୍ରବୀଭୂତ ହୋଇଥିଲା-। ସେ ଉପଗୁପ୍ତନାମା ବୌଦ୍ଧ ସନ୍ନ୍ୟାସୀଙ୍କଦ୍ୱାରା ରଣ ପ୍ରାଙ୍ଗଣରେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ । ସେ ସମୟରେ ସେ ରାଜତ୍ୱର ଅଷ୍ଟମ ବର୍ଷରେ ପଦାର୍ପଣ କରିଥିଲେ । ଅଶୋକ ସେହି ଦିନଠାରୁ ଅସି ଧାରଣ କରିବେ ନାହିଁ ବୋଲି ପ୍ରତିଜ୍ଞା କଲେ । ସେ କହିଛନ୍ତି ‘‘ହିଂସା ପ୍ରଣୋଦିତ ତରବାରୀର ଜୟ, ଜୟ ନୁହେଁ ।’’ ସେ କଳିଙ୍ଗ ଅଧିକାର କରି ତାହାକୁ ନିଜ ସାମ୍ରାଜ୍ୟଭୁକ୍ତ କଲେ । ଏହି ଦେଶର ସୁଶାସନ ନିମିତ୍ତ ସେ ତତ୍ପରୋନାସ୍ତି ଚେଷ୍ଟା କରିଥିଲେ । ଅତ୍ୟନ୍ତ ଦୟାଳୁ ଓ ସୁବିଚାରକ ରାଜ କର୍ମଚାରୀମାନଙ୍କୁ ସେ ଏହି ଦେଶ ଶାସନ ନିମିତ୍ତ ପ୍ରେରଣ କରୁଥିଲେ । କଳିଙ୍ଗ ଯୁଦ୍ଧର ମର୍ମନ୍ତୁଦ ଘଟଣାରେ ସେ ଅତ୍ୟନ୍ତ ଅନୁତପ୍ତ ଓ କ୍ଷୁବ୍‌ଧ ହୋଇଥିଲେ ବୋଲି ଶିଳାଲିପିରୁ ଜଣାଯାଏ ।

Image

 

ଉପାଦାନ ସଂଗ୍ରହ (ଶାସନ ସଂସ୍ଥା)

 

ଅଶୋକଙ୍କ ନିଜ ରାଜ୍ୟସୀମାରେ ଅନୁଶାସନ ଗୁଡ଼ିକ ଖୋଦିତ ହୋଇଥିବାର ଯଥେଷ୍ଟ ପ୍ରମାଣ ମିଳେ । ଭୁବନେଶ୍ୱର ନିକଟସ୍ଥ ଧଉଳି ଓ ଗଞ୍ଜାମ ଜିଲ୍ଲାର ଜଉଗଡ଼ ତାଙ୍କ ରାଜ୍ୟର ଦକ୍ଷିଣ ସୀମା ନିର୍ଦ୍ଦେଶ କରେ । ଉତ୍ତରରେ ଉତ୍ତର ପଶ୍ଚିମ ସୀମାନ୍ତର କାଲସି ଓ ପେଶବାର ଜିଲ୍ଲାର ମନସେରା ତାଙ୍କ ରାଜ୍ୟର ସୀମାରେଖା ନିର୍ଣ୍ଣୟ କରୁଛି । କାଥିଆବାଡ଼ ନିକଟସ୍ଥ ଜୁନାଗଡ଼, ବମ୍ବେ ପ୍ରଦେଶସ୍ଥ ଥାନା ଜିଲ୍ଲାର ସୋପ୍ରା, ସାରନାଥରେ ଥିବା ଅନୁଶାସନ ଓ ମହୀଶୂରର ଚିତ୍ତଲଡ଼ୁଗ ଜିଲ୍ଲାର ଶିଳାଲିପି ଆମ୍ଭମାନଙ୍କୁ ଅଶୋକଙ୍କ ରାଜ୍ୟ ଶାସନ ବିଷୟରେ ସବିଶେଷ ଧାରଣା ପ୍ରଦାନ କରେ । ଭାରତ ବାହାରେ ତାଙ୍କ ଦେଶକୁ ଲାଗି ଅଧିକାଂଶ ଯବନ ରାଜାଙ୍କ ରାଜ୍ୟ ଥିଲା । ସେ ସମୟରେ ଗ୍ରୀସ ଓ ପାରସ୍ୟର ଲୋକମାନଙ୍କୁ ଭାରତୀୟମାନେ ଯବନ ଆଖ୍ୟା ଦେଉଥିଲେ । ଆଣ୍ଟିଓକସ ତୁରାମାୟା, ଆମଟେକିନା, ମାଗ ଓ ଆଲିକାସମୁଦ୍ର ପ୍ରଭୃତି ଯବନ ରାଜାମାନଙ୍କ ରାଜ୍ୟ ଅଶୋକଙ୍କ ରାଜ୍ୟ ସୀମାକୁ ଲାଗିଥିଲା । ଭାରତରେ ତାଙ୍କ ରାଜ୍ୟର ଦକ୍ଷିଣକୁ ଯୋନା, କମ୍ବୁଜ, ଗାନ୍ଧାର, ଭୋଜ, ନଭକ, ନଭମ୍ପତୀ, ଆନ୍ଧ୍ର ଓ ପିଲିନ୍ଦ ପ୍ରଭୃତି ରାଜ୍ୟ ଥିଲା । ସମଗ୍ର ଭାରତରେ ଚୋଳ, ପାଣ୍ଡ୍ୟ, ସତ୍ୟପୁତ୍ର ଓ କେରଳପୁତ୍ର ପ୍ରଭୃତି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟାନ୍ୟ ସମସ୍ତ ରାଜ୍ୟ ଅଶୋକଙ୍କର ଅଧୀନ ଥିଲା । ଚନ୍ଦ୍ରଗୁପ୍ତଙ୍କ ସମୟରୁ ଗ୍ରୀକ ଓ ଭାରତୀୟ ମାନଙ୍କ ମଧ୍ୟରେ ଅତୁଟ ସମ୍ପର୍କ ରହିଥିଲା । ଅଶୋକଙ୍କ ରାଜ୍ୟକୁ ଲାଗି ଗ୍ରୀକ୍‌ରାଜା ଆଣ୍ଟିଓକସ୍‌ଙ୍କର ରାଜ୍ୟ ଥିଲା । ସେ ଗ୍ରୀକ ଦରବାରକୁ ଦୂତ ପ୍ରେରଣ କରିଥିଲେ । ରାଜା ଦ୍ୱିତୀୟ ଟୋଲେମୀ (ମିଶର ରାଜା) ମଧ୍ୟ ସେ ସମୟରେ ମୌର୍ଯ୍ୟ ଦରବାରକୁ ଗୋଟିଏ ଶୁଭେଚ୍ଛୁ ଦଳ ପ୍ରେରଣ କରିଥିଲେ ।

 

ଅଶୋକ କିପରି ତାଙ୍କ ବିଶାଳ ସାମ୍ରାଜ୍ୟ ସ୍ଥାପନ କଲେ ତାହା ଆମ୍ଭମାନଙ୍କ ମନରେ ବିସ୍ମୟ ଉତ୍ପାଦନ କରେ । ସେ ସମସ୍ତ ରାଜ୍ୟକୁ ଅନେକ ପ୍ରଦେଶରେ ବିଭକ୍ତ କରିଥିଲେ । ପ୍ରତ୍ୟକ ପ୍ରଦେଶରେ ଅନେକ ଗୁଡ଼ିଏ ଜିଲ୍ଲା ଥିଲା ।

 

ଦୁଇ ପ୍ରକାର ପ୍ରାଦେଶିକ ଶାସନକର୍ତ୍ତା ତାଙ୍କ ସମୟରେ ନିଯୁକ୍ତ ହୋଇଥିଲେ । ଯେଉଁ ପ୍ରଦେଶରେ ରାଜନୈତିକ ପ୍ରାଧାନ୍ୟ ପରିଲକ୍ଷିତ ହେଉଥିଲା ସେହି ପ୍ରଦେଶର ଶାସନ ପାଇଁ ସେ ବିଶ୍ୱସ୍ତ ଓ କୌଶଳୀ ରାଜପୁତ୍ର ମାନଙ୍କୁ ପ୍ରେରଣ କରୁଥିଲେ । ଏଗୁଡ଼ିକୁ କୁମାର ପ୍ରଦେଶ କୁହା ଯାଉଥିଲା, ଯଥା:- ଗାନ୍ଧାର ଦେଶର ତକ୍ଷଶିଳା, ନିଜାମ ରାଜ୍ୟର ସୁବର୍ଣ୍ଣଗିରି, କଳିଙ୍ଗ ଦେଶର ତୋଷାଳୀ ଓ ମାଳବ ରାଜ୍ୟର ଉଜ୍ଜୟିନୀ । ଏହା ବ୍ୟତୀତ ଅନ୍ୟ ପ୍ରଦେଶଗୁଡ଼ିକ ରାଜସମ୍ପର୍କୀୟ ବ୍ୟକ୍ତି ନ ହେଲେ ମଧ୍ୟ ରାଜନିଯୁକ୍ତ ଶାସନକର୍ତ୍ତାଙ୍କ ଦ୍ୱାରା ଶାସିତ ହେଉଥିଲା । କୁମାରମାନଙ୍କୁ ଛାଡ଼ିଦେଲେ ଶାସନକର୍ତ୍ତାମାନଙ୍କୁ ମହାମନ୍ତ୍ର କୁହାଯାଉଥିଲା । ଜିଲ୍ଲାର ଶାସନକର୍ତ୍ତା ପ୍ରାଦେଶିକ ଶାସନକର୍ତ୍ତାଙ୍କଦ୍ୱାରା ମନୋନୀତ ହେଉଥିଲେ । ସମସ୍ତ ରାଜ୍ୟର ଶାସନ ଶୃଙ୍ଖଳା ପାଇଁ ମଗଧର ରାଜଧାନୀ ପାଟଳୀପୁତ୍ରରେ ଗୋଟଏ ଶାସନ ବିଧାୟକ ସଭା ରହୁଥିଲା । ଏହି ସଭାରେ ମହାମନ୍ତ୍ର ଓ କୁମାର ମାନଙ୍କ ମଧ୍ୟରୁ ପ୍ରତିନିଧି ରହୁଥିଲେ । ଅଶୋକ ଶାସନ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସାଧାରଣତଃ ତିନି ଶ୍ରେଣୀରେ ବିଭକ୍ତ କରିଥିଲେ, ଯଥା :– ପ୍ରଦେଶିକା, ରାଜ୍ଜୁକା ଓ ଯୁକ୍ତ । ଏମାନଙ୍କ ବ୍ୟତୀତ ରାଷ୍ଟ୍ରପତି, ଗ୍ରାମକୂଟ ଓ ମହାତରା ଉପାଧିଧାରୀ କର୍ମଚାରୀମାନେ ମଧ୍ୟ ତାଙ୍କ ଅଧୀନରେ ଥିଲେ । ଯୁକ୍ତଙ୍କ ଅଧୀନରେ କେତେଗୁଡ଼ିଏ ଉପଯୁକ୍ତ ରହୁଥିଲେ । ରାଜାଙ୍କ ସମ୍ପତ୍ତି ରକ୍ଷଣାବେକ୍ଷଣ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲା । ଯୁକ୍ତମାନେ କର ଆଦାୟ ପାଇଁ ସମ୍ପୂର୍ଣ୍ଣ ଦାୟୀ ଥିଲେ ।

 

କେତେକ ସ୍ଥଳରେ ସେହି କାର୍ଯ୍ୟପାଇଁ ଯୁକ୍ତ ଉପଯୁକ୍ତ ବଦଳରେ ଅଯୁକ୍ତ ଓ ବିନିଯୁକ୍ତ ନାମଧାରୀ କର୍ମଚାରୀ ନିଯୁକ୍ତ ହେଉଥିଲେ । ପ୍ରଦେଶିକାମାନେ କଲେକ୍ଟର ଓ ପୋଲିସ କାର୍ଯ୍ୟ କରୁଥିଲେ । ସମୟ ସମୟରେ ସେମାନଙ୍କୁ ବିଚାରପତିର କାର୍ଯ୍ୟ ମଧ୍ୟ ଦିଆଯାଉଥିଲା । ସେମାନଙ୍କ ମଧ୍ୟରୁ ଅମାତ୍ୟ ଓ ଶାସନ ବିଧାୟକ ସଭାର ସଭ୍ୟ ହୋଇପାରୁଥିଲେ । ରାଜ୍ଜୁକାମାନେ ଜମିମାପ ଓ ବଣ୍ଟନ ପ୍ରଭୃତି ବିଭାଗର ସର୍ବୋଚ୍ଚ କର୍ମଚାରୀ ଥିଲେ । ଆଜିକାଲି ସେଟଲମେଣ୍ଟ ଅଫିସରଙ୍କ କାର୍ଯ୍ୟପରି ତାଙ୍କ କାର୍ଯ୍ୟ ଥିଲା । ରାଜ୍ଜୁକାମାନଙ୍କୁ ପୁରସ୍କାର ଓ ଦଣ୍ଡଦାନ କ୍ଷମତା ପ୍ରଦତ୍ତ ହୋଇଥିଲା । ସେମାନେ ଏକପ୍ରକାର ମାଜିଷ୍ଟ୍ରେଟ ଓ ଜଜ ଶ୍ରେଣୀୟ ଥିଲେ । ଏହି ଶ୍ରେଣୀର କର୍ମଚାରୀଗଣ ରାଜାଙ୍କର ପ୍ରଧାନ ବିଶ୍ୱସ୍ତ ଥିଲେ । ବିଚାର ବିଭାଗର ସର୍ବୋଚ୍ଚ ସ୍ଥାନ ଏମାନଙ୍କୁ ଦିଆଯାଇଥିଲା । ଏମାନେ ସର୍ବୋପରି ବିଚାର ଦେଇ ପାରୁଥିଲେ ଓ ଜନସାଧାରଣଙ୍କ ନୈତିକ ଚରିତ୍ର ନିୟନ୍ତ୍ରଣ କରିବା ଲାଗି ଧର୍ମସମ୍ବନ୍ଧୀୟ ଆଲୋଚନାରେ ବିଶେଷ ଭାଗ ନେଉଥିଲେ । ସହର ଶାସନ କରିବା ପାଇଁ ସ୍ୱତନ୍ତ୍ର ବିଚାରପତି ରହୁଥିଲେ । ଏମାନଙ୍କ ନାମ ଥିଲା ‘‘ନଗର ବ୍ୟାବହାରିକା’’ । ସେମାନେ ସହରର ସମସ୍ତ ଖବର ବୁଝୁଥିଲେ ଓ ପ୍ରଦେଶିକାମାନଙ୍କ ଠାରୁ ବେଶୀ ବେତନ ପାଉଥିଲେ । ବିଭିନ୍ନ ବିଭାଗର ରକ୍ଷଣାବେକ୍ଷଣ ଓ ଦାୟିତ୍ୱ ନିମିତ୍ତ ଭିନ୍ନ ଭିନ୍ନ ନାମଧାରୀ ମହାମନ୍ତ୍ର ସବୁ ନିଯୁକ୍ତ ହେଉଥିଲେ । ନିରାଶ୍ରୟା ଗର୍ଭିଣୀ ନାରୀର ରକ୍ଷଣାବେକ୍ଷଣ ଓ ସେ ପ୍ରସବ କରିଥିବା ଶିଶୁର ସମସ୍ତ ଯତ୍ନ ନେବା ସକାଶେ କର୍ମଚାରୀ ମଧ୍ୟ ନିଯୁକ୍ତ ହେଉଥିଲେ । ଦେଶର ପଶୁ ସମ୍ପତ୍ତିର ଆୟ ହିସାବ ପରିବର୍ତ୍ତନ କରିବା ନିମନ୍ତେ ସ୍ୱତନ୍ତ୍ର କର୍ମଚାରୀ ରଖାଯାଉଥିଲେ । ଅବ୍ୟବସ୍ଥିତ ଯୁବକ ଯୁବତୀମାନଙ୍କ ମନରେ ଧର୍ମଭାବ ଉଦ୍ରେକ କରାଇବା ପାଇଁ କର୍ମଚାରୀ ନିଯୁକ୍ତ ହେଉଥିଲେ । ସେମାନଙ୍କୁ ଅନନ୍ତ ମହାମନ୍ତ୍ର କୁହାଯାଉଥିଲା । ସେମାନେ ତିନି ଶ୍ରେଣୀରେ ବିଭକ୍ତ ଥିଲେ-ଉଚ୍ଚ, ମଧ୍ୟ ଓ ନିମ୍ନ ।

 

ଅଶୋକଙ୍କର ବିଶାଳ ସାମ୍ରାଜ୍ୟରେ ଏତେ ମହାମନ୍ତ୍ର ଓ କର୍ମଚାରୀ ନିଯୁକ୍ତ ହୋଇଥିଲେ ଯାହାଦ୍ୱାରା କି ରାଜାଙ୍କର ସେମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଆସିବା ଅସମ୍ଭବ ବୋଲି ମନେହୁଏ । ତେଣୁ କର୍ମଚାରୀ ଓ ରାଜାଙ୍କ ମଧ୍ୟରେ ସମ୍ପର୍କ ଆଣିବା ପାଇଁ ଗୋଟିଏ ମନ୍ତ୍ରୀ ପରିଷଦ ରହୁଥିଲା । ଏହାର କର୍ତ୍ତବ୍ୟ ଯେ କୌଣସି କାର୍ଯ୍ୟ ଆରମ୍ଭ ଓ ଶେଷ କରିବା । ଏମାନେ ନିକଟରେ ଥିବା କର୍ମଚାରୀମାନଙ୍କୁ ପ୍ରତ୍ୟେକ୍ଷ ଭାବରେ କାର୍ଯ୍ୟ ବଣ୍ଟନ କରୁଥିଲେ ଓ ରାଜାଙ୍କ ଆଦେଶପତ୍ର ପ୍ରେରଣ କରୁଥିଲେ ।

 

କୌଣସି ବିଶେଷ କାର୍ଯ୍ୟର ପରାମର୍ଶ ନିମନ୍ତେ ରାଜା ତାଙ୍କ ପରାମର୍ଶଦାତା ମନ୍ତ୍ରୀମାନଙ୍କ ସଙ୍ଗେ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀମାନଙ୍କୁ ଆହ୍ୱାନ କରୁଥିଲେ । ରାଜା ନିଜେ ମନ୍ତ୍ରୀ ପରିଷଦ ଓ କର୍ମଚାରୀଙ୍କ କାର୍ଯ୍ୟ ପରିଦର୍ଶନ କରୁଥିଲେ । ଯଦି ଉଭୟଙ୍କ ମଧ୍ୟରେ କୌଣସି ସ୍ଥଳରେ ମତଦ୍ୱୈଧ ଘଟିଲା ରାଜା ସ୍ୱୟଂ ସେହି ସ୍ଥାନରେ ଉପସ୍ଥିତ ହୋଇ ଆପୋଷ ସମାଧାନ କରୁଥିଲେ । ନଗର ଭ୍ରମଣ ଲାଗି ସ୍ୱତନ୍ତ୍ର ରାଜକର୍ମଚାରୀ ନିଯୁକ୍ତ ହୋଇଥିଲେ । ଏତଦ୍‌ବ୍ୟତୀତ ପ୍ରଦେଶୀ ଯୁକ୍ତ ଏବଂ ରାଜ୍ଜୁକାମାନେ ମଧ୍ୟ ନଗରଭ୍ରମଣ କରି ଓ ମଫସଲ ଅଞ୍ଚଳରେ ଗସ୍ତ କରି ପ୍ରଜାମାନଙ୍କର ଅବସ୍ଥା ବିଷୟକ ଜ୍ଞାନାର୍ଜ୍ଜନ କରୁଥିଲେ ଓ ସେମାନଙ୍କ ଦୁଃଖ ବିମୋଚନଲାଗି ସତତ ଚେଷ୍ଟିତ ଥିଲେ । ଏହି କର୍ମଚାରୀଗଣ ଉପବାସ ଦିବସରେ ସେମାନଙ୍କ ନିଜ ନିଜ ପ୍ରଧାନ କାର୍ଯ୍ୟାଳୟକୁ ଫେରି ଆସୁଥିଲେ ଏବଂ ତିସ୍ୟା ନକ୍ଷତ୍ରଦିନ ସମସ୍ତେ ରାଜଧାନୀ ପାଟଳୀପୁତ୍ରରେ ଉପସ୍ଥିତ ହେଉଥିଲେ ।

 

ପ୍ରଜାମାନଙ୍କର ସମୁନ୍ନତ କଲ୍ୟାଣ ଲାଗି ମହାମନା ଅଶୋକ ଲାଗି ପଡ଼ିଥିଲେ । କଳିଙ୍ଗର ଗୋଟିଏ ସ୍ୱତନ୍ତ୍ର ଶିଳାଲିପିରେ ଅଶୋକ କହିଛନ୍ତି, ‘‘ସମସ୍ତ ପ୍ରଜା ମୋର ସନ୍ତାନ । ସେମାନେ ଇହ ଓ ପର କାଳରେ ସୁଖ ଲାଭ କରନ୍ତୁ ଏହା ମୋର ଆନ୍ତରିକ କାମନା । ମୁଁ ଦେଶର ଚାକର । ପ୍ରଜାମାନଙ୍କର ମଙ୍ଗଳ ହେଲେ ମୁଁ ନିଜକୁ ଗୌରବାନ୍ୱିତ ମନେ କରିବି ।’’ ସେ ନିଜର ଭରଣପୋଷଣ ନିମିତ୍ତ ଚାକିରିଆ ପରି ପ୍ରଜାମାନଙ୍କଠାରୁ ବେତନ ଦାବୀ କରୁଥିଲେ । ରାଜସ୍ୱର ପ୍ରାୟ ଶତକଡ଼ା ଅନେଶତ ଭାଗ ପ୍ରଜାମାନଙ୍କ ହିତସାଧନରେ ବ୍ୟୟିତ ହେଉଥିଲା । ନୂତନ ଅଧିକୃତ କଳିଙ୍ଗ ପ୍ରତି ତାଙ୍କର ବିଶେଷ ଦୃଷ୍ଟି ଥିଲା ।

 

ସେ ଶାସନ ବିଧାୟକ ସଭାରେ ସଭ୍ୟ ଥିବା ଜଣେ କୁମାରଙ୍କୁ କଳିଙ୍ଗ ଶାସନ ପାଇଁ ପ୍ରେରଣ କରିଥିଲେ । ଥରେ ତୋଷାଳୀ ଓ ସାମ୍ପାର ଲୋକେ ନଗର ବ୍ୟାବହାରିକା ମାନଙ୍କଦ୍ୱାରା ଅତ୍ୟାଚାରିତ ହେବାରୁ ସେ ସେମାନଙ୍କୁ ନୈତିକ ଦଣ୍ଡ ପ୍ରଦାନ କରିଥିଲେ । ଧୈର୍ଯ୍ୟ ଓ ପରିଶ୍ରମ ସହକାରେ କାର୍ଯ୍ୟ କରିବାକୁ ସେ ସେମାନଙ୍କୁ ଉପେଦଶ ଦେଇଥିଲେ ।

 

ଏହା ବ୍ୟତୀତ ପ୍ରତି ପାଞ୍ଚ ବର୍ଷରେ କଳିଙ୍ଗର ସମସ୍ତ କାର୍ଯ୍ୟ ପରିଦର୍ଶନ ପାଇଁ ମହାମନ୍ତ୍ର ପଠାଇବେ ବୋଲି ଧମକ ଦେଇଥିଲେ । ଉପଯୁକ୍ତ ଶାସନ ଓ ନ୍ୟାୟବିଚାର ଯେପରି କଳିଙ୍ଗବାସୀ ପାଇ ପାରିବେ ସେଥିଲାଗି ସେ ସର୍ବଦା ଚିନ୍ତିତ ଥିଲେ । ଅନ୍ୟ ପ୍ରଦେଶକୁ ସେ ପ୍ରାୟ ଯାଉ ନ ଥିଲେ । କିନ୍ତୁ କଳିଙ୍ଗ ପ୍ରଦେଶ ପରିଦର୍ଶନ ପାଇଁ ବର୍ଷର ଅଧିକାଂଶ ସମୟରେ ସେଠାରେ ଉପସ୍ଥିତ ହେଉଥିଲେ । ମହାମନ୍ତ୍ରମାନେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଜିଲ୍ଲା ଓ ସହର ଭ୍ରମଣରେ ସମୟ ଅତିବାହିତ କରୁଥିଲେ ।

 

ଅଧିକାଂଶ ଲୋକଙ୍କର ନୈତିକ ଉନ୍ନତି ଧର୍ମ ମହାମନ୍ତ୍ରମାନଙ୍କ ପ୍ରଚାର ଫଳରେ ସାଧିତ ହେଉଥିଲା । ପଲ୍ଲୀ ଅଞ୍ଚଳରେ ରାଜ୍ଜୁକାମାନେ ମଧ୍ୟ ଏହି କାର୍ଯ୍ୟରେ ଧର୍ମ ମହାମନ୍ତ୍ରଙ୍କୁ ବିଶେଷ ସାହାଯ୍ୟ କରୁଥିଲେ । ବୃଦ୍ଧ ବନ୍ଦୀମାନଙ୍କୁ ତାଙ୍କ ସମୟରେ କାରାଗାରରୁ ଛାଡ଼ି ଦିଆଯାଉ ଥିଲା । ନିରାଶ୍ରୟ ଓ ବୃଦ୍ଧ ବ୍ୟକ୍ତିମାନଙ୍କୁ ରାଜାଙ୍କ ପକ୍ଷରୁ ସାଧାରଣ ସାହାଯ୍ୟ ପ୍ରଦାନ କରାଯାଉ ଥିଲା । ପିତୃମାତୃହୀନା ବାଳକ ବାଳିକା ମାନଙ୍କ ରକ୍ଷଣାବେକ୍ଷଣର ଯଥେଷ୍ଟ ବନ୍ଦୋବସ୍ତ କରାଯାଇଥିଲା । ରାଜାଙ୍କୁ ଯେ କୌଣସି ସମୟରେ ରାଜ୍ୟର ଖବର ଜଣାଇବା ପାଇଁ ପ୍ରତିବେଦକା ନିଯୁକ୍ତ ହେଉଥିଲେ । ଅତିବୃଷ୍ଟି ଓ ଅନାବୃଷ୍ଟି କବଳରୁ ଚାଷୀମାନଙ୍କୁ ରକ୍ଷା କରିବା ପାଇଁ ରାଜ୍ୟସାରା ଜଳସେଚନ ବ୍ୟବସ୍ଥା କରାଯାଇଥିଲା । ସେ ପ୍ରଜାମାନଙ୍କର ଏହିପରି ହିତସାଧନ କରି ସୁଦ୍ଧା କହୁଥିଲେ ‘ମୁଁ ଏହିପରି ସମଗ୍ର ଜଗତର କଲ୍ୟାଣ କାମନା କରେ । ସମଗ୍ର ବିଶ୍ୱର କଲ୍ୟାଣ ସାଧିତ ନ ହେଲେ ମୋର କର୍ତ୍ତବ୍ୟ ପୂର୍ଣ୍ଣ ହେଲା ନାହିଁ ।’ ସମଗ୍ର ବିଶ୍ୱରେ ଐକ୍ୟ ପ୍ରତିଷ୍ଠା କରିବା ଓ ଶାନ୍ତି ଆନୟନ କରିବା ମହାମନା ଅଶୋକଙ୍କର ଲକ୍ଷ୍ୟ ଥିଲା । ଆଜିକାଲି ମିଳିତ ଜାତିସଂଘକୁ ଲକ୍ଷ୍ୟ କଲେ ଆମ୍ଭେମାନେ ସ୍ପଷ୍ଟରୂପେ ତାଙ୍କ ଦୂରଦୃଷ୍ଟି ହୃଦୟଙ୍ଗମ କରିପାରୁଁ ।

Image

 

ଧର୍ମ ଗ୍ରହଣ

 

ଅଶୋକ କଳିଙ୍ଗ ଯୁଦ୍ଧର ବିଭୀଷିକା ଦର୍ଶନ କରି ଯେତେଦୂର ମର୍ମନ୍ତୁଦ ଯନ୍ତ୍ରଣା ଅନୁଭବ କରିଥିଲେ ତାହା ଅବର୍ଣ୍ଣନୀୟ । ବୌଦ୍ଧ ଧର୍ମର ଆଦର୍ଶ ପ୍ରତିଷ୍ଠାଲାଗି ସେ ବ୍ୟାକୁଳ ହୋଇ ପଡ଼ିଥିଲେ । ରାଜତ୍ୱର ଦଶମ ବର୍ଷରେ ବୋଧିଦ୍ରୁମ ଦର୍ଶନକରି ସେ ପୂର୍ବବର୍ଣ୍ଣିତ ‘‘ବିହାର’’ ଯାତ୍ରାକୁ ଧର୍ମଯାତ୍ରାରେ ପରିଣତ କରିଥିଲେ । ବୌଦ୍ଧଧର୍ମ ଗ୍ରହଣ କରି ସେ ପ୍ରଥମେ ଏହି ଧର୍ମର ଉପାସକ ହିସାବରେ ଦୁଇ ବର୍ଷ ସମୟ ଅତିବାହିତ କରିଥିଲେ । ଯେ କୌଣସି ଗୃହୀ ଲୋକ ମଧ୍ୟ ଏହି ଧର୍ମର ଉପାସକ ହୋଇପାରୁଥିଲା । ତତ୍ପରେ ସେ ବୌଦ୍ଧସଂଘରେ ଭିକ୍ଷୁ ଗତିକାରୂପେ କିଛି ସମୟ କଟାଇ ବୌଦ୍ଧ ଭିକ୍ଷୁମାନଙ୍କ କର୍ମଯୋଜନାକୁ ଅନୁସରଣ କରି କାର୍ଯ୍ୟ କଲେ । ବୌଦ୍ଧ ଭିକ୍ଷୁଗତିକାମାନେ ସଂଘରେ ରହୁଥିଲେ । ଭିକ୍ଷୁ ହେବା ପୂର୍ବରୁ ସଂସାରୀମାନେ ଭିକ୍ଷୁଗତିକାରୂପେ କାର୍ଯ୍ୟ କରି ଭିକ୍ଷୁଜୀବନର କଷ୍ଟ ବିଷୟରେ ଅବଗତ ହେଉଥିଲେ । ଜଣେ ଲୋକ ପକ୍ଷରେ ଏକ ସମୟରେ ସମ୍ରାଟ୍ ଓ ସନ୍ନ୍ୟାସୀର କାର୍ଯ୍ୟ କରିବା କମ୍ ଆଶ୍ଚର୍ଯ୍ୟର କଥା ନୁହେଁ । ଏହା ଅଶୋକଙ୍କ ଜୀବନରେ ଘଟିଥିଲା । ଅଶୋକ ବୁଦ୍ଧ ଓ ବୌଦ୍ଧଧର୍ମର ସ୍ମୃତି ରକ୍ଷା କରିବାପାଇଁ ଲୁମ୍ବିନୀ, ସାଞ୍ଚି ଓ ସାରନାଥ ପ୍ରଭୃତିରେ ସ୍ତମ୍ଭନିର୍ମାଣ କରିଯାଇଛନ୍ତି ।

 

ସେ ନିଜ ଧର୍ମର ମାହାତ୍ମ୍ୟ ହୃଦୟଙ୍ଗମ କରିବା ସଙ୍ଗେ ସଙ୍ଗେ ଅନ୍ୟ ଧର୍ମ ପ୍ରତି ମଧ୍ୟ ସମ୍ମାନ ପ୍ରଦର୍ଶନ କରୁଥିଲେ । ସେ ବୁଦ୍ଧଗୟା ଓ ଲୁମ୍ବିନୀକୁ ପ୍ରସିଦ୍ଧ ତୀର୍ଥସ୍ଥାନରେ ପରିଣତ କରିଥିଲେ । ଏପର୍ଯ୍ୟନ୍ତ ମଧ୍ୟ ସେହି ସ୍ଥାନମାନଙ୍କରେ ସହସ୍ର ସଂଖ୍ୟାରେ ଯାତ୍ରୀ ସମାଗମ ହୁଏ । ରାଜ୍ୟର ସମସ୍ତ ଅଂଶରୁ ଏକ ଷଷ୍ଠମାଂଶ କର ଆଦାୟ କରାଯାଉଥିଲେ ମଧ୍ୟ ଅଶୋକ ଲୁମ୍ବିନୀ ଗ୍ରାମରୁ ଏକ ଅଷ୍ଟମାଂଶ କର ଆଦାୟ କରୁଥିଲେ । ରାଜପୁତାନାର ଖୋଦିତ ଲିପିରୁ ଜଣାପଡ଼େ ଅଶୋକ ବୁଦ୍ଧଙ୍କ ପ୍ରତି ଅତିଶୟ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରୁଥିଲେ । ଜାତିଧର୍ମ ନିର୍ବିଶେଷରେ ଯେ କୌଣସି ଲୋକ ବୁଦ୍ଧଙ୍କ ବାଣୀ ଶ୍ରବଣରୁ ବଞ୍ଚିତ ନ ହେବା ପାଇଁ ସେ ଇଚ୍ଛା କରିଥିଲେ ଓ ତଦନୁସାରେ କାର୍ଯ୍ୟ କରିଥିଲେ । ତାଙ୍କ ରାଜ୍ୟରେ ଯଥେଷ୍ଟ ଭାବରେ ଶିକ୍ଷାର ପ୍ରସାର ହୋଇଥିଲା-

 

ଧର୍ମବିଷୟକ ଶିକ୍ଷା ସେ ସମୟରେ ଶିକ୍ଷାର ପ୍ରଧାନ ଅଙ୍ଗରୂପେ ବିବେଚିତ ହୋଇଥିଲା-। ବିଦ୍ୟାଳୟଗୁଡ଼ିକରେ ଧର୍ମସମ୍ବନ୍ଧୀୟ ସ୍ୱତନ୍ତ୍ର ବିବେଚିତ ହୋଇଥିଲା । ବିଦ୍ୟାଳୟଗୁଡ଼ିକରେ ଧର୍ମସମ୍ବନ୍ଧୀୟ ସ୍ୱତନ୍ତ୍ର ଭାଷଣମାନ ଦିଆଯାଉଥିଲା । ସେ ସମୟରେ ଛାତ୍ରଜୀବନ ନୈତିକତାର ଉଚ୍ଚତମ ସେପାନରେ ଆରୋହଣ କରିଥିଲା । ଭିକ୍ଷୁମାନେ ସାଧାରଣ ଖାଦ୍ୟ ଖାଉଥିଲେ ଓ ସାଧାରଣ ବସ୍ତ୍ର ପରିଧାନ କରୁଥିଲେ । ସେମାନେ ନିୟମିତ ଧ୍ୟାନ କରୁଥିଲେ-। ସେମାନେ ବୌଦ୍ଧଧର୍ମ ଗ୍ରନ୍ଥର ନିୟମ ମାନି ଚଳୁଥିଲେ । ଅଶୋକ କହୁଥିଲେ, ‘‘ଜରା, ରୋଗ, ଦୁର୍ଭିକ୍ଷ ଓ ଯୁଦ୍ଧର ବିଭୀଷିକା ପ୍ରଭୃତିରୁ ନିଜକୁ ବଞ୍ଚାଇବାକୁ ହେଲେ ମନୁଷ୍ୟକୁ ଉନ୍ନତ ଚିନ୍ତା କରିବାକୁ ପଡ଼େ । ତେଣୁ ସେହି ଆଧ୍ୟାତ୍ମିକ ଚିନ୍ତାଶକ୍ତି ଫଳରେ ସେ ସହଜରେ ମୁକ୍ତି ସନ୍ଧାନ କରିପାରେ । ପବିତ୍ର ଓ ଶାନ୍ତିମୟ ଜୀବନଯାପନ କରିବାକୁ ହେଲେ ମନୁଷ୍ୟପକ୍ଷରେ ସୁପଠନ କରିବା ଓ ଧ୍ୟାନରତ ରହିବା ଉଚିତ । ସାରନାଥ, ସାଞ୍ଚି ଓ ଏଲାହାବାଦରେ ଅଶୋକଙ୍କ ଅନୁଶାସନରୁ ବିଶେଷ ମହତ୍ତ୍ୱ ଉପଲବ୍‌ଧି ହୁଏ ।

 

ବିଭିନ୍ନ ସ୍ଥାନରେ, ରାଜ୍ୟ ମଧ୍ୟରେ ତାଙ୍କ ସମୟରେ ଶୃଙ୍ଖଳିତ ବୌଦ୍ଧ ବିହାର ଥିଲା । ସେଗୁଡ଼ିକର ପରସ୍ପର ମଧ୍ୟରେ ଐକ୍ୟ ପ୍ରତିଷ୍ଠା ହେଲେ ଦେଶର ମଙ୍ଗଳ ସୁନିଶ୍ଚିତ, ଏହା ଅଶୋକଙ୍କର ଧାରଣା ଥିଲା । ବିହାରମାନଙ୍କରେ ବୌଦ୍ଧ ଭିକ୍ଷୁକମାନଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଲେ କାର୍ଯ୍ୟର ବିଶୃଙ୍ଖଳା ଦେଖାଦେଇ କାଳେ ପ୍ରଜା ସାଧାରଣଙ୍କର ନୈତିକ ଜୀବନର ଅଧୋଗତି ହେବ, ସେଥିଲାଗି ସେ ବିଶେଷ ସଜାଗ ରହୁଥିଲେ । କୌଣସି ବିହାରରେ ରହୁଥିବା ସନ୍ନ୍ୟାସୀମାନଙ୍କ ମଧ୍ୟରେ ମତଭେଦ ଯେପରି ନ ରହେ, ସେ ସବୁ ଅନୁସନ୍ଧାନ କରିବା ପାଇଁ ଉପଯୁକ୍ତ ଆଦେଶ ଦେଇ ସେ ଧର୍ମମହାମନ୍ତ୍ର ପ୍ରେରଣା କରୁଥିଲେ । ଅଶୋକଙ୍କର ଆଦେଶ ଥିଲା ‘‘ଯେଉଁ ସନ୍ନ୍ୟାସୀମାନେ ବିହାରରେ ବିଶୃଙ୍ଖଳା ସୃଷ୍ଟି କରିବେ, ସେମାନେ ଗୈରିକ ବସ୍ତ୍ର ପରିଧାନରୁ ବଞ୍ଚିତ ହେବେ ଓ ଶୁକ୍ଳ ବସ୍ତ୍ର ପରିଧାନପୂର୍ବକ ବିହାର ପରିତ୍ୟାଗ କରି ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହେବେ । ସେମାନଙ୍କୁ କୌଣସି ବିହାରରେ ସ୍ଥାନ ଦିଆଯିବ ନାହିଁ ।’’ ଏହି ଆଦେଶ ସମସ୍ତ ବୌଦ୍ଧସଂଘକୁ ମଧ୍ୟ ପଠାଇ ଦିଆଯାଇଥିଲା । ସେ ପାଟଳୀପୁତ୍ର ଓ ବୈଶାଳୀ ପ୍ରଭୃତି ପ୍ରସିଦ୍ଧ ସ୍ଥାନରେ ବୌଦ୍ଧମହାସଭା ବା ନିଗମ ସଭା ଆହ୍ୱାନ କରୁଥିଲେ । କୌସାମ୍ବିରେ ଧର୍ମମହାମନ୍ତ୍ରମାନଙ୍କ କେନ୍ଦ୍ର କାର୍ଯ୍ୟାଳୟ ଅବସ୍ଥିତ ଥିଲା ।

 

ବୌଦ୍ଧସଂଘର ନୀତିଗୁଡ଼ିକ ମାନି ମହାମନ୍ତ୍ରମାନେ କାର୍ଯ୍ୟ କରୁଥିଲେ । ଅଭିଜ୍ଞ ଭିକ୍ଷୁମାନେ ମଗଧର ରାଜଧାନୀ ପାଟଳୀପୁତ୍ରରେ ରହୁଥିଲେ । ଏହି ବିଶ୍ୱଧର୍ମର ଭିତ୍ତି ସୁଦୃଢ଼ କରିବାପାଇଁ ଅଶୋକ ଜନସାଧାରଣରେ ଯେପରି ଧର୍ମନୀତି ପ୍ରଚାରିତ ହେବ ଓ ଲୋକମାନଙ୍କର ଧର୍ମପ୍ରତି ମମତା ଆସିବ ତାର ଯଥେଷ୍ଟ ଉପାଦାନ ଭିକ୍ଷୁମାନଙ୍କୁ ଯୋଗାଇ ଦେଉଥିଲେ । ରାଜ୍ୟବାହାରେ ଓ ରାଜ୍ୟ ମଧ୍ୟରେ ଥିବା ସମସ୍ତ ବୌଦ୍ଧସଂଘ ଅଶୋକଙ୍କୁ ଧର୍ମରାଜ୍ୟର ସର୍ବୋଚ୍ଚ କର୍ତ୍ତାରୂପେ ଜ୍ଞାନ କରୁଥିଲେ । ତେଣୁ ସେ ଏକାଧାରରେ ସମ୍ରାଟ ଓ ଧର୍ମଯାଜକ ଥିଲେ ।

 

ବୌଦ୍ଧ ଧର୍ମଗ୍ରନ୍ଥରେ ଲିଖିତ ବୁଦ୍ଧଦେବଙ୍କ ଚାରିଗୋଟି ସତ୍ୟ, ଅଷ୍ଟବର୍ଗ ବା ପଥ ଓ ଦଶଗୋଟି ଉପଦେଶକୁ ଅଶୋକ ଅକ୍ଷରେ ଅକ୍ଷରେ ମାନୁଥିଲେ ଓ ପାଳନ କରୁଥିଲେ ।

 

ଚାରି ସତ୍ୟ :– (କ) ଜୀବନ ଦୁଃଖପୂର୍ଣ୍ଣ, (ଖ) ଦୁଃଖର କାରଣ ତୃଷ୍ଣା ବା କାମନା, (ଗ) ବିଷୟବାସନା ପରିତ୍ୟାଗ କଲେ ନିର୍ବାଣଲାଭ, (ଘ) ନିର୍ବାଣହିଁ ମୋକ୍ଷ ।

 

ଅଷ୍ଟବର୍ଗ :– ପ୍ରକୃତ ବିଶ୍ୱାସ, ସଦୁଦ୍ଦେଶ୍ୟ, ସଦାଳାପ, ସଦାଚାର, ସାଧୁଜୀବନ, ସାଧୁଚେଷ୍ଟା, ପ୍ରକୃତ ବସ୍ତୁର ସ୍ମରଣ ଓ ଧ୍ୟାନ ।

 

ଦଶୋପଦେଶ :– ହତ୍ୟା ନ କରିବା, ଚୋରି ନ କରିବା, ବ୍ୟଭିଚାର ନ କରିବା, ମିଥ୍ୟା ନ କହିବା, ପରନିନ୍ଦା ନ କରିବା, ପରଦୋଷ ନ ଖୋଜିବା, ରସନା ଅପବିତ୍ର ନ କରିବା, ଲୋଭ ପରିତ୍ୟାଗ କରିବା, ଘୃଣା ପରିତ୍ୟାଗ କରିବା ଓ ଅଜ୍ଞତା ନିରାକରଣ କରିବା । ଏହା ବ୍ୟତୀତ ଜୀବେ ଦୟା, ସତ୍ୟବାଦିତା ଓ ଗୁରୁଭକ୍ତି ଉପରେ ମହାମନା ଅଶୋକ ବିଶେଷ ଆସ୍ଥା ସ୍ଥାପନ କରିଥିଲେ ।

 

ମହାବଂଶ, ଦୀପବଂଶ ଓ ଲଳିତବିସ୍ତର ପ୍ରଭୃତି ବୌଦ୍ଧଧର୍ମମାନଙ୍କରେ ଲିଖିତ ନୀତିର ସେ ପ୍ରଧାନ ଓ ପ୍ରକୃତ ଉପାସକ ଥିଲେ । ସେ ଯେ କୌଣସି ଧର୍ମ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରୁଥିଲେ । ସନାତନ ଧର୍ମର ବ୍ରାହ୍ମଣ ଓ ବୌଦ୍ଧ ଧର୍ମର ଶ୍ରମଣମାନଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତି ଥିଲା । ସେ ସେମାନଙ୍କର ସମ୍ମାନ ରକ୍ଷା କରିବାକୁ ସତତ ଚେଷ୍ଟିତ ଥିଲେ । ସେ ଦୟା, କ୍ଷମା, ଦାନ, ସ୍ୱାଧୀନତା ଓ ଭଦ୍ରତା ପ୍ରଭୃତି ଗୁଣର ବିଶେଷ ପକ୍ଷପାତୀ ଥିଲେ । ସ୍ୱଳ୍ପ ଖର୍ଚ୍ଚ କରି ଅବଶିଷ୍ଟ ସଞ୍ଚୟ କରିବାକୁ ସେ ସମସ୍ତଙ୍କୁ ଉପଦେଶ ପ୍ରଦାନ କରୁଥିଲେ । ଆଉ ମଧ୍ୟ ଲୋଭ ପରବଶ ହୋଇ କାଳେ ଲୋକମାନେ ବେଶୀ ଆୟ ସକାଶେ ଶାରୀରିକ ଓ ମାନସିକ ଶାନ୍ତି ହରାଇ ବସିବେ, ସେ ନିମିତ୍ତ ଅଶୋକ ତୀକ୍ଷ୍ଣ ଦୃଷ୍ଟି ଦେଉଥିଲେ । ଜୀବନର ସାଧାରଣ ଚରିତ୍ରଠାରୁ ଧର୍ମର ସ୍ଥାନ ସର୍ବଦା ଉଚ୍ଚରେ ଥାଏ ବୋଲି ସେ ପ୍ରଜାବର୍ଗଙ୍କୁ ବୁଝାଉଥିଲେ । ଈଶ୍ୱରୋପାସନା ପାଇଁ ଆଜିକାଲି ମଧ୍ୟ ସମାଜରେ ଅନେକ ପର୍ବ ପର୍ବାଣୀ, ଓଷା ଓ ବ୍ରତ ଆଦିର ପ୍ରଚଳନ ଦେଖାଯାଏ । ସାଧାରଣତଃ ସ୍ତ୍ରୀମାନେ ବେଶୀ ଓଷା ବ୍ରତ ନିୟମ ପାଳନ କରିଥାନ୍ତି । ଲୋକମାନେ ବିପଦରୁ ରକ୍ଷା ପାଇବା ନିମନ୍ତେ କିମ୍ବା ରୋଗ, ବ୍ୟାଧିଦ୍ୱାରା ଆକ୍ରାନ୍ତ ନ ହେବାପାଇଁ ଈଶ୍ୱରଙ୍କୁ ସନ୍ତୁଷ୍ଟ ରଖିବାକୁ ପ୍ରାଣପଣେ ଚେଷ୍ଟା କରନ୍ତି । ତେଣୁ ଓଷାବ୍ରତ, ଯାନି ଯାତ୍ରା ଓ ପର୍ବ ପର୍ବାଣୀର ଅଭିନୟ ସମାଜ ମଧ୍ୟରେ ଦେଖାଦେଇଥାଏ । ଅଶୋକ ଏପରି କାର୍ଯ୍ୟକୁ ନାପସନ୍ଦ କରୁଥିଲେ ।

 

ସେ କହୁଥିଲେ ଈଶ୍ୱରୋପାସନା କରିବାକୁ ହେଲେ ଆଡ଼ମ୍ବରର ପ୍ରୟୋଜନ ନାହିଁ । ସରଳ ଓ ବିନୀତ ଭାବରେ ସେ ଲୋକମାନଙ୍କୁ ଧର୍ମପୂଜା କରିବାକୁ ଅନୁରୋଧ କରୁଥିଲେ, କାରଣ ତାହାଦ୍ୱାରା ସେମାନେ ଧର୍ମର ମାହାତ୍ମ୍ୟ ଅନ୍ତରେ ଅନ୍ତରେ ହୃଦୟଙ୍ଗମ କରି ପାରିବେ । ଏପରି ପୂଜାକୁ ଧର୍ମ ମଙ୍ଗଳ କୁହା ଯାଉଥିଲା । ଦାନ ମଧ୍ୟରେ ଧର୍ମ ଦାନ ସର୍ବଶ୍ରେଷ୍ଠ ଦାନରୂପେ ତାହାଙ୍କ ସମୟରେ ପରିଚିତ ହୋଇଥିଲା । ଏହିପରି ଦାନ ଯେ କୌଣସି ଲୋକକୁ ଯେ କୌଣସି ସମୟରେ ଦିଆଯାଇ ପାରୁଥିଲା । ଏପରିକି ଗୋଟିଏ ପରିବାର ମଧ୍ୟରେ ପିତା ପୁତ୍ରକୁ ଓ ପୁତ୍ର ପିତାକୁ ଦାନ ଦେଇ ପାରୁଥିଲା । ଧର୍ମ ପ୍ରଚାରର ଅନ୍ୟ ନାମ ଧର୍ମବିଜୟ ଥିଲା । ବନ୍ଧୁବାନ୍ଧବ ଓ ପଡ଼ୋଶୀମାନଙ୍କ ମଧ୍ୟରେ ଏପରି ଦାନ ପ୍ରଚଳିତ ଥିଲା, ଯେଉଁ କାର୍ଯ୍ୟ ଅଶୋକଙ୍କ ରାଜ୍ୟ ବାହାରେ ଅବସ୍ଥିତ ଥିଲା, ସେହି ରାଜ୍ୟରେ ବୌଦ୍ଧ ଧର୍ମ ପ୍ରସାର ଲାଭ କରିବା ଫଳରେ ସେହି ରାଜ୍ୟକୁ ଧର୍ମ ବିଜୟ ରାଜ୍ୟ ବୋଲି ଅଶୋକ କହୁଥିଲେ । ଦ୍ୱିତୀୟତଃ ଧର୍ମଦ୍ୱାରା ମଧ୍ୟ କେତେକ ରାଜ୍ୟ ସମ୍ପୂର୍ଣ୍ଣ ବିଜିତ ହୋଇଥିଲା । ସେହି ସେହି ରାଜ୍ୟର ରାଜାମାନେ ଅଶୋକଙ୍କୁ ସମ୍ରାଟ ରୂପେ ସ୍ୱୀକାର କରୁଥିଲେ । ଧର୍ମବିଜୟର ଅନ୍ୟ ନାମ ଥିଲା ପ୍ରୀତିରସା । ଏହି ପ୍ରୀତିରସା କେବଳ ଯେ ଭାରତୀୟମାନେ ଆସ୍ୱାଦନ କରିଥିଲେ ତାହା ନୁହେଁ, ପଡ଼ୋଶୀ ସ୍ୱାଧୀନ ରାଜାମାନଙ୍କ ମଧ୍ୟରୁ ଆଣ୍ଟିଓକସ, ଥିଓଜ, ଟୋଲେମୀ, ଫିଲାଡ଼େଫୋଜ ପ୍ରଭୃତି ପ୍ରତାପଶାଳୀ ନରପତିଗଣ ମଧ୍ୟ ତାହାର ସ୍ୱାଦ ବାରି ପାରିଥିଲେ । ଅର୍ଥାତ୍ ଉକ୍ତ ଯବନ ରାଜାମାନଙ୍କ ରାଜ୍ୟରେ ବୌଦ୍ଧଧର୍ମର ବିଶେଷ ପ୍ରଭାବ ପଡ଼ିଥିଲା । ତାହା କେବଳ ଅଶୋକଙ୍କଦ୍ୱାରା ସମ୍ଭବପର ହୋଇ ପାରିଥିଲା ।

 

ଅଶୋକ ଆତ୍ମଶୁଦ୍ଧି ଓ ଆତ୍ମପରୀକ୍ଷାକୁ ଧର୍ମର ମୂଳମନ୍ତ୍ର ବୋଲି ନିର୍ଣ୍ଣୟ କରିଥିଲେ । ପ୍ରଥମେ ଅନ୍ତର୍ଦୃଷ୍ଟି ସାହାଯ୍ୟରେ କିପରି ନିଜ ଚିତ୍ତବୃତ୍ତି ଅଧ୍ୟୟନ କରାଯାଏ ଏହା ବୌଦ୍ଧ ସଂଘରେ ନୂତନ ପ୍ରବିଷ୍ଟ ଭିକ୍ଷୁମାନଙ୍କୁ ଶିକ୍ଷା ଦିଆଯାଉଥିଲା । ଏହି ଆତ୍ମପରୀକ୍ଷା ଅତ୍ୟନ୍ତ କଠିନ । ଏହି ପରୀକ୍ଷା ଅତିକ୍ରମ ନକଲେ କୌଣସି ଲୋକ ଭିକ୍ଷୁ ଜୀବନ ଯାପନ କରି ପାରିବ ନାହିଁ । ମନନ, କଥନ, ପଠନ, ଓ ଶ୍ରବଣ ପ୍ରଭୃତିର ଉନ୍ନତି ଆତ୍ମପରୀକ୍ଷା ଓ ଆତ୍ମଶୁଦ୍ଧି ବ୍ୟତିରେକେ ସମ୍ଭବ ହେବନାହିଁ । ଅଶୋକ ବୁଦ୍ଧଙ୍କ ପରି ଆତ୍ମପରୀକ୍ଷା ବିଷୟରେ ସମ୍ୟକ ଜ୍ଞାତ ହେଇଥିଲେ । ମହାପୁରୁଷ ବୁଦ୍ଧଙ୍କ ପରି ସେ ମଧ୍ୟ ସାଧାରଣ ଲୋକଙ୍କୁ ଏହି ବିଷୟରେ ଉତ୍ତମ ଭାବରେ ଶିକ୍ଷା ଦେଇ ପାରୁଥିଲେ । ତାଙ୍କ ଧର୍ମରେ ସବୁ ଧର୍ମର ସାରକଥା ନିହିତ ଥିଲା । ତାଙ୍କ ରାଜ୍ୟରେ ସମସ୍ତ ଧର୍ମର ଲୋକେ ନିର୍ବିଘ୍ନରେ କାଳାତିପାତ କରୁଥିଲେ । ସେ କହୁଥିଲେ, ‘‘ଯେଉଁ ଲୋକ ଆତ୍ମସଂଯମୀ ନୁହେଁ ସେ ସମାଜର ନିମ୍ନ ସ୍ତରରେ ରହିଛି । ପ୍ରତ୍ୟେକ ବ୍ୟକ୍ତିଗତ ଜୀବନରେ ଧର୍ମର ସତ୍ତା ବିଦ୍ୟମାନ । ତାହାର ଉନ୍ନତି ସାଧନ କରିବା ମନୁଷ୍ୟର ସର୍ବାଦୌ କର୍ତ୍ତବ୍ୟ । କୌଣସି ଲୋକ ନିଜ ଧର୍ମକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରି ଅନ୍ୟ ଧର୍ମକୁ ଘୃଣା ଚକ୍ଷୁରେ ଦେଖିବା ଉଚିତ ନୁହେଁ-। ଏହା ଦ୍ୱାରା ସେ ଉଭୟ ଧର୍ମର କ୍ଷତି କରେ । ପ୍ରତ୍ୟେକ ଧର୍ମପ୍ରତି ସମ୍ମାନ ପ୍ରଦର୍ଶନ କଲେ ନିଜ ଧର୍ମର ମହତ୍ତ୍ୱ ବିଶେଷ ଭାବରେ ବଢ଼େ ଓ ଉଭୟ ଧର୍ମର ସର୍ବାଙ୍ଗୀନ ଉନ୍ନତି ସାଧିତ ହୁଏ । ତଦ୍ଦ୍ୱାରା ଦେଶ ଦେଶ ଓ ଜାତି ଜାତି ମଧ୍ୟରେ ଐକ୍ୟ ପ୍ରତିଷ୍ଠିତ ହୁଏ । ଲୋକମାନେ ନିଜ ଧର୍ମବ୍ୟତୀତ ଅନ୍ୟାନ୍ୟ ଧର୍ମନୀତି ଶୁଣିବେ ଓ ଶୁଣିବାକୁ ଇଚ୍ଛା କରିବେ ।

 

ପ୍ରତ୍ୟେକ ଧର୍ମରେ ଧର୍ମନୀତି ଓ ସାମାଜିକ ନୀତି ବିଦ୍ୟମାନ । ଧର୍ମନୀତି ଗୁଡ଼ିକରେ ପାର୍ଥକ୍ୟ ପରିଲକ୍ଷିତ ହୁଏ । କିନ୍ତୁ ସମାଜରେ ମନୁଷ୍ୟର କର୍ତ୍ତବ୍ୟ କଣ ହେବା ଉଚିତ ତାହା ସମପରିମାଣରେ ଧର୍ମ ନିର୍ବିଶେଷରେ ଦେଖାଯାଏ । ଏହି ସାମାଜିକ ନୀତି ପ୍ରତ୍ୟେକ ଧର୍ମର ଅଳଙ୍କାର ସଦୃଶ । ଯଥା :– (କ) ପିତାର ପୁତ୍ର ପ୍ରତି ସ୍ନେହ ଓ ପୁତ୍ରର ପିତା ପ୍ରତି ଭକ୍ତି (ଖ) ଜ୍ୟେଷ୍ଠ ଓ କନିଷ୍ଠ ମଧ୍ୟରେ ଏହି ସ୍ନେହ ଭକ୍ତିର ଆଦାନ ପ୍ରଦାନ (ଗ) ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ଉଭୟଙ୍କ ପ୍ରତି କର୍ତ୍ତବ୍ୟ । (ଘ) ରାଜା ଓ ପ୍ରଜା ମଧ୍ୟରେ ପରସ୍ପରର ପରସ୍ପର ପ୍ରତି କର୍ତ୍ତବ୍ୟ ।

 

ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃଭାବ ରହିବା ସମୀଚୀନ । ତେଣୁ ସେ ଅନ୍ୟାନ୍ୟ ଧର୍ମସମ୍ପ୍ରଦାୟକୁ ଧର୍ମ ମହାମନ୍ତ୍ରମାନଙ୍କୁ ପ୍ରତିନିଧି ରୂପେ ପଠାଉଥିଲେ । ସ୍ତ୍ରୀମାନଙ୍କର ସୁଖ ସମୃଦ୍ଧି ପାଇଁ ସ୍ତ୍ରୀ ଅଧ୍ୟକ୍ଷମାନେ ଦାୟୀ ରହୁଥିଲେ । ସେମାନେ ମଧ୍ୟ ବିଭିନ୍ନ ଧର୍ମ ସମ୍ପ୍ରଦାୟରେ ବୌଦ୍ଧସଂଘରୁ ପ୍ରତିନିଧିରୂପେ ଯୋଗ ଦେଉଥିଲେ । ଏହାଦ୍ୱାରା ଧର୍ମାନୁଶୀଳନ ସହଜ ହୋଇଥିଲା-। ପ୍ରତ୍ୟେକ ଧର୍ମ ମଧ୍ୟରେ ଭାବ ବିନିମୟ ସହଜସାଧ୍ୟ ହୋଇ ପାରିଥିଲା । ସ୍ତ୍ରୀମାନେ ଅଶୋକଙ୍କ ସମୟରେ ଧର୍ମାନୁଲୋଚନାରେ ଭାଗ ନେବାର ଦେଖାଯାଇଛି । ତାଙ୍କ ସମୟରେ ଲୋକମାନଙ୍କର ଜ୍ଞାନର ପରିସର ସୀମାବଦ୍ଧ ନଥିଲା । ସଂଘମାନଙ୍କରେ ଉଚ୍ଚ ଚରିତ୍ର ଓ ଦର୍ଶନର ଆଲୋଚନା ହେଉଥିଲା । କୌଣସି ପର୍ବପର୍ବାଣୀ ବା ଉତ୍ସବ ପ୍ରଭୃତି ସାମାଜିକ କାର୍ଯ୍ୟଦ୍ୱାରା ଧର୍ମର କ୍ଷତିସାଧିତ ହେଲେ ତାହାକୁ ସମାଜରୁ ଉଠାଇ ଦିଆଯାଉଥିଲା । ସେ କହୁଥିଲେ ‘‘ଜଗତରେ ଧର୍ମ ଓ ରାଜନୈତିକ ଏକତା ପ୍ରତିଷ୍ଠା କରିବାକୁ ହେଲେ ଖାଲି ଯେ ବୌଦ୍ଧଧର୍ମର ଆଲୋଚନା ଦରକାର ତାହା ନୁହେଁ, ବୌଦ୍ଧଧର୍ମ ସଙ୍ଗେ ସଙ୍ଗେ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଓ ଜାରୋଷ୍ଟା ଧର୍ମର ପୁଙ୍ଖାନୁପୁଙ୍ଖ ଆଲୋଚନା ବା ଅନୁଶୀଳନ କରିବା ଉଚିତ । ତଦ୍ଦ୍ୱାରା ମାନସିକ ଚିତ୍ତବୃତ୍ତିର ନୈତିକତା ସାଧିତ ହୁଏ ।’’ ତାଙ୍କର ଶିଳାଲିପିରେ ଖୋଦିତ ଅଛି ଯେ, ସେ ଯାହା କରୁଥିଲେ, ପ୍ରଜାମାନଙ୍କ ଐହିକ ଓ ପାରତ୍ରିକ ସୁଖନିମିତ୍ତ ଯଥେଷ୍ଟ ହେଉଥିଲା କିନ୍ତୁ ସେ ନିଜେ ସେଥିରେ ସନ୍ତୁଷ୍ଟ ରହୁ ନଥିଲେ । ସେ ପ୍ରତି ମୁହୂର୍ତ୍ତରେ ଆଉ କିଛି କାର୍ଯ୍ୟ କରିବାକୁ ଚାହୁଁ ଥିଲେ । ସ୍ୱର୍ଗପ୍ରାପ୍ତି ନିମିତ୍ତ ଧର୍ମମଙ୍ଗଳ ଉତ୍ସବ ଲୋକମାନଙ୍କୁ ଯଥେଷ୍ଟ ସାହାଯ୍ୟ କରେ ବୋଲି ସେ ସେମାନଙ୍କୁ ବୁଝାଉଥିଲେ ।

 

ବୌଦ୍ଧଧର୍ମକୁ କ୍ରମେ ସେ ରାଜଧର୍ମରେ ପରିଣତ କରିଥିଲେ । ପୃଥିବୀ ଇତିହାସରେ ସେ ଏକମାତ୍ର ରାଜା ଅଟନ୍ତି, ଯେ କି ଦୋଷୀକୁ ନୈତିକ ଦଣ୍ଡବ୍ୟତୀତ ଅନ୍ୟ ଦଣ୍ଡ ପ୍ରଦାନ କରୁନଥିଲେ । ସୁଶାସନ ନିମିତ୍ତ ସେ ଶାସନଗତ ନିୟମମାନ ପ୍ରଣୟନ କରିଥିଲେ । ତଦ୍ଦ୍ୱାରା ଧର୍ମ ଉପରେ କୌଣସି ଚାପ ପ୍ରୟୋଗ ହେଉ ନ ଥିଲା । ତାହାଙ୍କ ରାଜଧର୍ମରେ ସୌଜନ୍ୟ ପୂର୍ଣ୍ଣମାତ୍ରାରେ ଥିଲା । ଅଶୋକନୀତି ସମସ୍ତ ଭାରତୀୟ ଧର୍ମପ୍ରତି ପ୍ରଯୁଜ୍ୟ ଥିଲା । ସେ ଅତ୍ୟନ୍ତ ନୀତିବାଦୀ ଥିଲେ । ସେ ବୁଦ୍ଧ ଓ କନଫ୍ୟୁସିଅଙ୍କ ଚିନ୍ତାଧାରାର ସମନ୍ୱୟ ଆଣିପାରି ଥିଲେ । ଆଧ୍ୟାତ୍ମିକ ଜଗତରେ ସମ୍ରାଟ୍ ଅଶୋକଙ୍କ ସ୍ଥାନ ଯେ କେତେ ଉଚ୍ଚରେ, ତାହା ସହଜରେ ଅନୁମେୟ-

 

ବୌଦ୍ଧଧର୍ମ ହୀନଯାନ ଓ ମହାଯାନ ନାମକ ଦୁଇଭାଗରେ ବିଭକ୍ତ ହୋଇଥିଲେ । ଏହି ଉଭୟପନ୍ଥୀ ବୌଦ୍ଧଧର୍ମାବଲମ୍ବୀମାନଙ୍କୁ ସେ ସମଚକ୍ଷୁରେ ଦେଖୁଥିଲେ । ସେ କହୁଥିଲେ, ‘‘ଦିନ ଥିଲା ଯେ ସମଗ୍ର ଭାରତରେ ଦିନେ ମୋର ରଣଦୁନ୍ଦୁଭି ବାଜିଉଠିଥିଲା । ସେଥିରେ ମୁଁ କୋଟି କୋଟି ଜନତାର ହୃଦୟ ଜୟ କରିବାକୁ ସମର୍ଥ ହୋଇ ପାରି ନଥିଲି । କିନ୍ତୁ ବୌଦ୍ଧଧର୍ମରେ ଦୀକ୍ଷିତ ହେବାଦିନଠାରୁ ମୋର ଧର୍ମଦୁନ୍ଦୁଭି ଭାରତ ତଥା ଜଗତର ପୁରପଲ୍ଲୀରେ ନିନାଦିତ ହେବାକୁ ଲାଗିଲା । ଏତଦ୍ଦ୍ୱାରା ମୁଁ କୋଟି କୋଟି ନରନାରୀଙ୍କ ହୃଦୟସିଂହାସନର ଦେବତାରୂପେ ପୂଜିତ ହେଲି । ଏହାଠାରୁ ବିଶେଷ ଭାଗ୍ୟ କଣ ହୋଇପାରେ ?’’ ଅଶୋକ ବୌଦ୍ଧଧର୍ମର ପ୍ରଧାନ ପୃଷ୍ଠପୋଷକ ଥିଲେ ସୁଦ୍ଧା, ବୌଦ୍ଧଧର୍ମ ବିରୁଦ୍ଧରେ ଯାଉ ନଥିବା ନୀତିଗୁଡ଼ିକ ସ୍ୱୀକାର କରୁଥିଲେ । ବୌଦ୍ଧଧର୍ମ ସଂଘରେ ଅନ୍ୟ ଧର୍ମର ସଦସ୍ୟମାନଙ୍କୁ ତାଙ୍କ ସମୟରେ ଆଲୋଚନାରେ ଭାଗନେବାପାଇଁ ଯଥେଷ୍ଟ ସୁବିଧା ପ୍ରଦତ୍ତ ଦେଉଥିଲା ।

Image

 

ଧର୍ମପ୍ରଚାର

 

ଧର୍ମପ୍ରଚାରକ ହିସାବରେ ଅଶୋକ କିପରି ସମୟ ଅତିବାହିତ କରିଥିଲେ ତାହା ଆମ୍ଭମାନଙ୍କର ପ୍ରଧାନ ଜ୍ଞାତବ୍ୟ ବିଷୟ ଅଟେ । ପ୍ରଚାର କାର୍ଯ୍ୟର ଅର୍ଥ ଈଶ୍ୱର ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା । ତାଙ୍କ ପ୍ରଚାର ଫଳରେ ମର ସଂସାରରେ ଅଧିକାଂଶ ଲୋକ ଦେବତ୍ୱ ପ୍ରାପ୍ତ ହୋଇଥିଲେ ଓ ଅବଶିଷ୍ଟ ମୃତ୍ୟୁପରେ ନିଶ୍ଚୟ ଦେବତ୍ୱ ପାଇବେ ବୋଲି ତାଙ୍କର ସ୍ପଷ୍ଟ ଧାରଣା ଥିଲା ।

 

ଜ୍ୟୋତିଦର୍ଶନ ବା ସ୍ୱର୍ଗୀୟ ଆଶୀର୍ବାଦ ପ୍ରାପ୍ତିନିମିତ୍ତ ପ୍ରଚାର ବିଶେଷ ସାହାଯ୍ୟ କରେ । ଭିନ୍ନ ଭିନ୍ନ ଦେବତାଙ୍କ କାର୍ଯ୍ୟକଳାପ ଓ ସେମାନଙ୍କର ଜୀବନଯାପନ ପ୍ରଣାଳୀ ସମାଜ ଉତ୍ସବରେ ଅଭିନୀତ ହୋଇ ଆନନ୍ଦ ପ୍ରଦାନ କରୁଥିଲା । ‘‘ସମାଜ’’ରେ ହଜାର ହଜାର ଦର୍ଶକ ବୁଦ୍ଧଙ୍କ ନୀତିବାଣୀର ଚରଚ୍ଚା, ରାଜାଙ୍କ ଉଦ୍‌ବୋଧନ ଓ ଧର୍ମମହାମନ୍ତ୍ରମାନଙ୍କ ସାରଗର୍ଭକ ଭାଷଣ ଶ୍ରବଣ କରିବାକୁ ଉପନୀତ ହେଉଥିଲେ । ତାହାଙ୍କର ଧର୍ମଯାତ୍ରା ସମୟରେ ସେ ଭିନ୍ନ ଭିନ୍ନ ଅଞ୍ଚଳରେ ନିଜେ ବୁଲି ବ୍ରାହ୍ମଣ, ଶ୍ରମଣ ଓ ପ୍ରାଦେଶିକ କର୍ମଚାରୀମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । ଏହି ଧର୍ମପ୍ରଚାର ଉଦ୍ଦେଶ୍ୟରେ ସେ ଭିନ୍ନ ଭିନ୍ନ ଧର୍ମପୁସ୍ତକ ପଠନ କରି ତାର ସାରବତ୍ତା ନିଜେ ହୃଦୟଙ୍ଗମ କରୁଥିଲେ । ସେ ଧର୍ମକୁ ବିସ୍ତୃତଭାବରେ ଜନସମାଜରେ ପ୍ରଚାର କରିବା ପାଇଁ ଏପରି କି, ବହୁବାର ଭିକ୍ଷୁବେଶରେ ସେମାନଙ୍କର ଦ୍ୱାରସ୍ଥ ହେଉଥିଲେ । ପ୍ରଜାମାନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଓ ସେମାନଙ୍କର ନୈତିକ ପ୍ରବୃତ୍ତି ସମୂହ ଅଧ୍ୟୟନ କରିବାକୁ ସେ ବିଶେଷରୂପେ ଭଲ ପାଉଥିଲେ ।

 

ଭିକ୍ଷୁବେଶରେ ସେ ଧର୍ମପ୍ରଚାର କରି ପ୍ରଜାମାନଙ୍କ ମନରେ ଅତ୍ୟଧିକ ପ୍ରଭାବ ପ୍ରକାଇ ପାରିଥିଲେ । ଜଣେ ଲୋକ ପକ୍ଷରେ ସମସ୍ତ ଲୋକଙ୍କୁ ଧର୍ମଭାବାପନ୍ନ କରିବା କଷ୍ଟକର ବ୍ୟାପାର ଅଟେ । ତେଣୁ ସେ ଏହିଦିଗରେ ତାଙ୍କୁ ସାହାଯ୍ୟ କରିବାପାଇଁ କର୍ମଚାରୀଗଣଙ୍କୁ ନିବେଦନ କରିଥିଲେ । ପ୍ରତ୍ୟେକ ପାଞ୍ଚବର୍ଷରେ ରାଜୁକା, ପ୍ରଦେଶିକା ଓ ଯୁକ୍ତମାନେ ଧର୍ମଯାତ୍ରାକରି ପଲ୍ଲୀଅଞ୍ଚଳର ଜନସମାଜରେ ଧର୍ମଭାବ ସଞ୍ଜୀବିତ କରୁଥିଲେ । ଉଚ୍ଚପଦସ୍ଥ କର୍ମଚାରୀମାନେ ଧର୍ମଶିକ୍ଷକ ରୂପେ କାର୍ଯ୍ୟ କରିବାକୁ ରାଜାଙ୍କଠାରୁ ଆଦେଶ ପ୍ରାପ୍ତ ହୋଇଥିଲେ ସୁଦ୍ଧା ରାଜକାର୍ଯ୍ୟରେ ବିଶେଷ ତ୍ରୁଟି ପରିଲକ୍ଷିତ ହେଉ ନଥିଲା । ତାହାଙ୍କ ପୂର୍ବରୁ କୌଣସି ରାଜା ଏପରି ମହତ୍‌ କର୍ମ ସମ୍ପାଦନ କରି ନଥିଲେ । ରାଜ୍ୟର ବିଭିନ୍ନ ଅଂଶରେ ସାମୟିକ ଭ୍ରାମ୍ୟମାଣ ଧର୍ମାନୁଷ୍ଠାନ ରହୁ ନଥିଲା । ଧର୍ମଶ୍ରବଣ ନାମକ ଅନ୍ୟ ଏକ ଉତ୍ସବ ପାଳିତ ହୋଇ ପ୍ରଜାମାନଙ୍କ ମନରେ ଧର୍ମଭାବ ଉଦ୍ରେକ କରାଉଥିଲେ । ଧର୍ମଶ୍ରବଣ ଉତ୍ସବରେ ରାଜୁକାମାନେ ସାଧାରଣତଃ ନୈତିକ ବିକାଶ ସମ୍ବନ୍ଧରେ ସୁଦୀର୍ଘ ଭାଷଣମାନ ଦେଉଥିଲେ । ଏତଦ୍‌ବ୍ୟତୀତ ଧର୍ମମହାମନ୍ତ୍ରମାନେ ଆଧ୍ୟାତ୍ମିକ ଜଗତର ଉନ୍ନତିପାଇଁ ସମ୍ପୂର୍ଣ୍ଣ ଦାୟୀ ରହୁଥିଲେ । ଧର୍ମମହାମନ୍ତ୍ରମାନେ ତାଙ୍କ ବିଶାଳ ସାମ୍ରାଜ୍ୟର ବାହାରକୁ ମଧ୍ୟ ଧର୍ମପ୍ରଚାର ପାଇଁ ପ୍ରେରିତ ହେଉଥିଲେ । ସେମାନଙ୍କ ମଧ୍ୟରୁ କେତେକ ରାଜଦୂତ ରୂପେ ବୈଦେଶିକ ରାଜ୍ୟରେ ଅବସ୍ଥାନ କରୁଥିଲେ ।

 

ସେ କିପରି ଦୟାଳୁ ଓ ବିଶ୍ୱପ୍ରେମୀ ରାଜା ଥିଲେ ତାହା ଗୋଟିଏ ଶିଳାଖୋଦିତ ଲିପିରୁ ଜଣାପଡ଼େ । ସେ କହିଛନ୍ତି- ‘‘ରାସ୍ତା ପାର୍ଶ୍ୱରେ ମୁଁ ବୃକ୍ଷ ରୋପଣ କରିଛି । ଯାହାର ସୁଶୀତଳ ଛାୟା ମନୁଷ୍ୟ ଏବଂ ପ୍ରାଣୀ ଯେ କୌଣସି ଜୀବକୁ ଆଶ୍ରୟ ପ୍ରଦାନ କରିବ । ପାନ୍ଥଶାଳା ବା ସରାଇ ଘର କ୍ଳାନ୍ତ ଶ୍ରାନ୍ତ ପଥିକମାନଙ୍କୁ ଆଶ୍ରୟପ୍ରଦାନଲାଗି ରାଜ୍ୟସାରା ନିର୍ମାଣ କରାଇଛି । ରାସ୍ତା କଡ଼ରେ ତୃଷାର୍ତ୍ତର ତୃଷା ଅପନୋଦନ ପାଇଁ କୂପ ଖନନ କରାଇଛି । ଏହିପରି ଧର୍ମ କାର୍ଯ୍ୟ ଭବିଷ୍ୟତରେ ଜନସାଧାରଣ କରିବେ ବୋଲି ମୁଁ ଆଶା କରେ ।’’ ଅଶୋକଙ୍କର ଉପରୋକ୍ତ ଶିକ୍ଷା ଜଗତ ପକ୍ଷରେ ଅତ୍ୟନ୍ତ ମୂଲ୍ୟବାନ୍ ଅଟେ । ଯେ କୌଣସି ଯୁଗର ଲୋକ ଧର୍ମର ମହତ୍ତ୍ୱ ବଢ଼ାଇବା ପାଇଁ ଏହିପରି ଦାନଶୀଳ କାର୍ଯ୍ୟର ଅନୁସରଣ କରିବେ । ଏତିକିରେ ସେ ସନ୍ତୁଷ୍ଟ ନ ଥିଲେ । ସେ ରାଜପରିବାରର ଲୋକମାନଙ୍କୁ ଏହି ବିଶ୍ୱ ଧର୍ମ ପ୍ରଚାର କାର୍ଯ୍ୟରେ ନିଯୁକ୍ତ କରିଥିଲେ । ନିଃସ୍ୱ, ବୃଦ୍ଧ, ଅନ୍ଧ ଓ ରୋଗୀ ପ୍ରଭୃତି ଲୋକଙ୍କ ସାହାଯ୍ୟାର୍ଥେ ରାଜା ଓ ରାଣୀମାନେ ପ୍ରଭୂତ ଅର୍ଥ ଧର୍ମମହାମନ୍ତ୍ରମାନଙ୍କୁ ଯୋଗାଇ ଦେଉଥିଲେ । ରାଜପୁତ୍ରମାନଙ୍କୁ ଅଶୋକ ଆଦେଶ ଦେଉଥିଲେ, ସେମାନେ ସେମାନଙ୍କ ପାଣ୍ଠିରୁ କିଛି ଅର୍ଥ ବିପଦଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଧର୍ମମନ୍ତ୍ରଙ୍କୁ ଦେବେ । ରାଜପୁତ୍ରମାନେ ପିତାଙ୍କର ଆଦେଶ ପାଳନ କରି ଏହି ମହତ୍ କାର୍ଯ୍ୟରେ ମନପ୍ରାଣ ଢାଳି ଦେଉଥିଲେ । ଧର୍ମ ମହାମନ୍ତ୍ର ରାଜ୍ୟର ଅନ୍ୟାନ୍ୟ ସମ୍ଭ୍ରାନ୍ତ ପରିବାରରୁ ମଧ୍ୟ ଏହି କାର୍ଯ୍ୟପାଇଁ ଅର୍ଥ ସଂଗ୍ରହ କରୁଥିଲେ । ଅବସ୍ଥାପନ୍ନ ବ୍ୟକ୍ତିମାନେ ଧର୍ମ ମହାମନ୍ତ୍ରମାନଙ୍କୁ ଏଥିରେ ବିଶେଷ ସହଯୋଗ ପ୍ରଦାନ କରୁଥିଲେ । ଦରିଦ୍ର ଲୋକମାନେ ଶକ୍ତିଅନୁସାରେ କିଛି କିଛି ଅର୍ଥ ମଧ୍ୟ ପ୍ରଦାନ କରୁଥିଲେ । ଅଶୋକ ଚାହୁଁଥିଲେ ଯେ, ସମସ୍ତେ ଦାନର ମାହାତ୍ମ୍ୟ ଓ ଉପକାରିତା ଯେପରି ହୃଦୟଙ୍ଗମ କରି ପାରିବେ । ଏହିପରି କାର୍ଯ୍ୟରେ ଜନସାଧାରଣଙ୍କ ତରଫରୁ କୌଣସି ଆପତ୍ତି ନ ଥିଲା । ଅଶୋକଙ୍କର ଆତ୍ମୀୟ ଓ କର୍ମଚାରୀଗଣ ରାଜ୍ୟର ଅନ୍ୟାନ୍ୟ ଧର୍ମ ଓ ପୁଣ୍ୟ କାର୍ଯ୍ୟପାଇଁ ସତତ ଧନମନ ବିନିଯୋଗ କରୁଥିଲେ ।

 

ଧର୍ମପ୍ରଚାର ଲାଗି ଅଶୋକ ଅନେକ ସ୍ଥାନରେ ଧର୍ମସ୍ତମ୍ଭ ସ୍ଥାପନ କରିଯାଇଛନ୍ତି । ଶିଳା ଓ ଗୁମ୍ଫା ଦେହରେ ପାଲ୍ଲୀ ଭାଷାରେ ଧର୍ମାନୁଶାସନ ଖୋଦିତ ହୋଇଅଛି । କେତେକ ଐତିହାସିକ କହନ୍ତି, ଅଶୋକ ତାଙ୍କ ନାମ ଚିରସ୍ମରଣୀୟ ରଖିବାଲାଗି ଏପରି କାର୍ଯ୍ୟ କରିଯାଇଛନ୍ତି । କିନ୍ତୁ ସେ କହିଛନ୍ତି ଯେ ପର୍ବତଗାତ୍ରରେ ଧର୍ମ ଲିପି ଖୋଦିତ ହେଲେ ତାହା ଅନେକ ଦିନ ପର୍ଯ୍ୟନ୍ତ ଜଗଦ୍‌ବାସୀଙ୍କୁ ଚେତନା ବା ପ୍ରେରଣା ଦେବ । ଦ୍ୱିତୀୟତଃ ତାଙ୍କର ବଂଶଧରମାନେ ତାଙ୍କ ପଦାଙ୍କ ଅନୁସରଣ କରି ପ୍ରଜାବର୍ଗଙ୍କର ନୈତିକ ଓ ଭୌତିକ ଉନ୍ନତି ସାଧନ କରିବେ । ଅଶୋକ ଜୀବଜଗତର ମଙ୍ଗଳଲାଗି ସର୍ବଦା ତତ୍ପର ଥିଲେ । କୌଣସି ପ୍ରାଣୀର ଯେପରି କ୍ଷତି ନ ଘଟେ ସେଥିଲାଗି ତାଙ୍କର ତୀବ୍ର ଦୃଷ୍ଟି ଥିଲା । ସେ ରାଜ୍ୟସାରା ବୃକ୍ଷରୋପଣ କରିଥିଲେ । କାରଣ ଔଷଧସକାଶେ ଲୋକମାନେ ଜୀବବଧରୁ କ୍ଷାନ୍ତ ହେବେ । ଜୀବବଧ ବା ପ୍ରାଣୀର ଅନିଷ୍ଟିପ୍ରତି ସେ ଅହରହ ସଜାଗ ଥିଲେ ଓ ତନ୍ମିମିତ୍ତ କଡ଼ା ନିୟମ ପ୍ରଣୟନ କରିଥିଲେ । ସେ ନିମିତ୍ତ କୌଣସି ଲୋକକୁ ସନ୍ଦେହ କରାଗଲେ ତାହାକୁ ତତ୍‌କ୍ଷଣାତ୍ ବନ୍ଦୀ କରାଯାଉଥିଲା ଓ ବିନା ବିଚାରରେ କାରାବାସ ଦିଆଯାଉଥିଲା । ତେଣୁ ପ୍ରଜାମାନେ ତାଙ୍କ ରାଜ୍ୟରେ ପଶୁପକ୍ଷୀର କ୍ଷତିସାଧନ କରିବାକୁ ଭୟ କରୁଥିଲେ । ଅଶୋକ ନିଜେ ମାଂସ ଖାଉ ନଥିଲେ ଓ ରାଜପ୍ରସାଦର ରନ୍ଧନଶାଳା ନିମିତ୍ତ ମାଂସର ବନ୍ଦୋବସ୍ତ ବନ୍ଦ କରି ଦେଇଥିଲେ । ସମାଜରୁ ମାଂସର ବ୍ୟବସ୍ଥା ଉଠାଇଦେବା ଫଳରେ ସମଗ୍ର ରାଜ୍ୟର ଲୋକେ ସେହି ଆଦର୍ଶରେ ଅନୁପ୍ରାଣିତ ହେଲେ । ସେ ଦେଶରେ ଦୁଇ ପ୍ରକାର ଚିକିତ୍ସାର ବନ୍ଦୋବସ୍ତ କରିଥିଲେ । ଗୋଟିଏ ମନୁଷ୍ୟମାନଙ୍କ ପାଇଁ, ଅନ୍ୟଟି ପଶୁମାନଙ୍କ ନିମିତ୍ତ । ଅଶୋକ ପୁତ୍ର କନ୍ୟାମାନଙ୍କୁ ଭିକ୍ଷୁ ବେଶରେ ବୌଦ୍ଧଧର୍ମ ପ୍ରଚାର ସକାଶେ ଦେଶାନ୍ତର ପ୍ରେରଣ କରୁଥିଲେ । କଥିତ ଅଛି, ତାଙ୍କର ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରା ସିଂହଳ ଦେଶକୁ ଧର୍ମପ୍ରଚାର କରିବାକୁ ଯାଇଥିଲେ ।

 

ଭିନ୍ନ ଭିନ୍ନ ଦେଶକୁ ବୌଦ୍ଧସଂଘ ପଠାଇ ସେ ଏହି ବିଶ୍ୱଧର୍ମ ପ୍ରଗତିରେ ଯଥେଷ୍ଟ ସାହାଯ୍ୟ କରିଛନ୍ତି । ସିରିୟା, ମିଶର, ମାସି ଡୋନିଆ, ସିରେନ୍ ଓ ଏପିରସ ପ୍ରଭୃତି ଗ୍ରୀସ୍‌ଦେଶର ନରପତିଗଣ ସତ୍ୟଅହିଂସାର ପ୍ରତିମୂର୍ତ୍ତି ବୌଦ୍ଧସମ୍ରାଟ ଅଶୋକଙ୍କର ଧର୍ମସନ୍ଦେଶ ସାଦରେ ଗ୍ରହଣ କରିଥିଲେ । ଗ୍ରୀସ୍‌ ରାଜ୍ୟଗୁଡ଼ିକ ମଧ୍ୟରେ ବୌଦ୍ଧଧର୍ମର ପ୍ରସାର ସହଜରେ ହୋଇପାରିଲା । କାରଣ ମହାବୀର ଆଲେକଜାଣ୍ଡାର ବା ସିକନ୍ଦରଙ୍କର ଭାରତଆକ୍ରମଣ ଫଳରେ ଗ୍ରୀକ ଓ ଭାରତୀୟ ସଂସ୍କୃତିର ରୀତିମତ ଆଦାନପ୍ରଦାନ ହୋଇପାରିଥିଲା । ଉଭୟ ଦେଶମଧ୍ୟରେ ବାଣିଜ୍ୟର ସୂତ୍ରପାତ ହୋଇପାରିଥିଲା । ଗ୍ରୀକ୍ ଓ ଭାରତୀୟମାନଙ୍କମଧ୍ୟରେ ବୈବାହିକ ସମ୍ବନ୍ଧ ସ୍ଥାପିତ ହୋଇଥିଲା । ସ୍ୱୟଂ ସିକନ୍ଦର ଭାରତୀୟ ରମଣୀଙ୍କୁ ବିବାହ କରିଥିଲେ ଓ ତାଙ୍କର ସହସ୍ରାଧିକ ସୈନ୍ୟ ମଧ୍ୟ ଏହି ପଥର ପଥିକ ହୋଇଥିଲେ । ପୁନଶ୍ଚ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଗ୍ରୀକ୍-ସେନାପତି ସେଲ୍ୟୁକସ୍‌ଙ୍କର କନ୍ୟା ହେଲେନାର ପାଣିଗ୍ରହଣ କରିଥିଲେ । ଗ୍ରୀକ୍ ରାଜଦୂତ ଭାରତୀୟ ରାଜଦରବାରରେ ସ୍ଥାନ ପାଉଥିଲେ ଏବଂ ଭାରତୀୟ ରାଜଦୁତ ମଧ୍ୟ ଗ୍ରୀକ୍ ରାଜଦରବାରରେ ରହୁଥିଲେ । ଅଶୋକ ସର୍ବପ୍ରଥମେ ଗ୍ରୀକ୍‌ମାନଙ୍କ ରାଜ୍ୟରେ ଧର୍ମ ପ୍ରଚାରର ଯଥେଷ୍ଟ ସୁବିଧା ପାଇଲେ । ଏହା ବ୍ୟତୀତ ଚୀନ ଓ ବ୍ରହ୍ମଦେଶକୁ ବୌଦ୍ଧସଂଘମାନ ପଠାଇଥିଲେ । ଟୋଲେମିଙ୍କଦ୍ୱାରା ପ୍ରତିଷ୍ଠିତ ଆଲେକ୍‌ଜାଣ୍ଡ୍ରିଆ ପୁସ୍ତକାଗାରରେ ଗ୍ରୀକ୍ ପଣ୍ଡିତମାନେ ଭାରତୀୟ ଗ୍ରନ୍ଥସବୁ ଅନୁବାଦ କରିବାକୁ ଭଲ ପାଉଥିଲେ । ଅଶୋକଙ୍କ ସମୟରେ ବୌଦ୍ଧଗ୍ରନ୍ଥସବୁ ସରଳଭାବରେ ଲିଖିତ ହୋଇଥିବାରୁ ତାହାର ଭାବ ଲୋକମାନଙ୍କ ପକ୍ଷରେ ବୁଝିବା ସହଜ ହୋଇଥିଲା ।

 

ସାଞ୍ଚିସ୍ତୁପ ଖୋଦିତ ପାଲୀଲିପିରୁ ସହଜରେ ଜଣାପଡ଼େ ଯେ, ଅଶୋକ ବୌଦ୍ଧ ଶ୍ରମଣମାନଙ୍କୁ ହିମାଳୟପ୍ରଦେଶରେ ଧର୍ମପ୍ରଚାର କରିବାକୁ ପଠାଇଥିଲେ । ଧର୍ମ ପ୍ରଚାରକମାନଙ୍କର ବିଭିନ୍ନ ନାମ ଥିଲା, ଯଥା : ରକ୍ଷିତ, ଧର୍ମରକ୍ଷିତ, ମହାରକ୍ଷିତ ଓ ମହାଧର୍ମ ରକ୍ଷିତ । ତାଙ୍କ ରାଜ୍ୟରେ ସେ ଜନମଙ୍ଗଳ ପାଇଁ ଯେଉଁ କାର୍ଯ୍ୟ ସମ୍ପାଦନ କରିଥିଲେ, ତଦ୍ଦ୍ୱାରା ବିଦେଶୀୟମାନେ ମଧ୍ୟ ପ୍ରଭାବିତ ହୋଇଥିଲେ । ବିଦେଶରେ ସମ୍ରାଟ୍ ଅଶୋକ ଛାୟାପ୍ରଦ ଓ ଔଷଧବୃକ୍ଷ ରୋପଣ, କୂପଖନନ ଓ ସରାଇନିର୍ମାଣ କାର୍ଯ୍ୟ କରାଇଥିବାର ପ୍ରମାଣ ମିଳେ । ଗ୍ରୀକ୍‌ମାନେ ଅଶୋକଙ୍କଠାରୁ ଉପରୋକ୍ତ କାର୍ଯ୍ୟଗୁଡ଼ିକ ବିଶେଷଭାବେ ଅନୁକରଣ କରିଥିଲେ । ବୌଦ୍ଧଧର୍ମ ଓ ଖ୍ରୀଷ୍ଟିୟାନଧର୍ମରେ ଅନେକ ସାମଞ୍ଜସ୍ୟ ଥିବାର ଜଣାପଡ଼େ । ଗ୍ରୀକ୍‌ମାନେ ବା ଅନ୍ୟାନ୍ୟ ପାଶ୍ଚାତ୍ୟଜାତି ବୌଦ୍ଧଧର୍ମର ନୀତି ମାନି ଚଳୁଥିବାରୁ ଖ୍ରୀଷ୍ଟଧର୍ମଦ୍ୱାରା ସହଜରେ ଭବିଷ୍ୟତରେ ଆକୃଷ୍ଟ ହୋଇ ପାରିଥିଲେ ବୋଲି କେହି କେହି ଐତିହାସିକ ମତ ପ୍ରକାଶ କରିଥାଆନ୍ତି । ଏହା ସତ୍ୟ ଯେ ବୌଦ୍ଧଧର୍ମକୁ ଅନୁକରଣ କରି ଖ୍ରୀଷ୍ଟଧର୍ମ ଜୟଯୁକ୍ତ ହୋଇପାରିଛି । ଅଶୋକଙ୍କ ସମୟରେ ବୌଦ୍ଧଧର୍ମ ସମଗ୍ର ଜଗତକୁ ପ୍ରଭାବିତ କରିପାରିଥିଲା । ମହାପୁରୁଷ ବୁଦ୍ଧ ନିର୍ବାଣ ନିମିତ୍ତ ଯେଉଁ ପଥ ଅବଲମ୍ବନ କରିଥିଲେ, ଅଶୋକ ସେଥିରୁ ତିଳେମାତ୍ର ବିଚ୍ୟୁତ ହୋଇ ନଥିଲେ । ଅଶୋକ କହୁଥିଲେ, କାମନା ବିନାଶପାଇଁ ବୁଦ୍ଧଦେବଙ୍କ ନିମ୍ନଲିଖିତ ବାଣୀ ମାନି ଚଳିବା ଉଚିତ । ଯଥା :– (କ) ସମ୍ୟକ୍ ଦୃଷ୍ଟି (ଖ) ସମ୍ୟକ୍ ସଂକଳ୍ପ (ଗ) ସମ୍ୟକ୍ ବାକ୍ (ଘ) ସମ୍ୟକ୍ କର୍ମାନ୍ତ (ଙ) ସମ୍ୟକ୍ ଜୀବ (ଚ) ସମ୍ୟକ୍ ବ୍ୟାୟାମ (ଛ) ସମ୍ୟକ୍ ସ୍ମୃତି (ଜ) ସମ୍ୟକ୍ ସମାଧି । ତାହାହେଲେ ମନୁଷ୍ୟ ଅଚିରେ ନିର୍ବାଣତ୍ୱ ଲାଭ କରିପାରିବ ।

Image

 

ଯୁଗ-ସମାଜ

 

ଭାରତର ଧର୍ମନୈତିକ ଜୀବନ ଅଶୋକଙ୍କ ସମୟରେ ଅତି ଉଚ୍ଚସ୍ତରରେ ଥିଲା । ସେ ସମୟରେ ହିନ୍ଦୁଧର୍ମର ବ୍ରାହ୍ମଣ ଓ ବୌଦ୍ଧ ଧର୍ମର ଶ୍ରମଣ ଉଭୟଙ୍କ ପ୍ରତି ଲୋକସମାଜର ଯଥେଷ୍ଟ ସମ୍ମାନ ଥିଲା । ବ୍ରାହ୍ମଣ ଓ ଶ୍ରମଣମାନେ ଅତି ପବିତ୍ର ଜୀବନ ଯାପନ କରୁଥିଲେ । ଏହା ବ୍ୟତୀତ ଜୈନ ସନ୍ନ୍ୟାସୀମାନଙ୍କ ପ୍ରତି ରାଜା ତଥା ପ୍ରଜାମାନଙ୍କର କମ୍ ଶ୍ରଦ୍ଧା ନ ଥିଲା । ସେ ସମୟରେ ବ୍ରାହ୍ମଣମାନେ ମତ୍ସ୍ୟ ଖାଉଥିଲେ । ବୌଦ୍ଧ ଶ୍ରମଣ ଓ ହିନ୍ଦୁ ବ୍ରାହ୍ମଣମାନଙ୍କୁ ରାଜା ‘ପସନ୍ଦ’ ଆଖ୍ୟା ଦେଉଥିଲେ । ଧର୍ମଦ୍ୱାରା ସ୍ୱର୍ଗଦ୍ୱାରା ସ୍ୱର୍ଗରାଜ୍ୟରେ ଯଥେଷ୍ଟ ସୁଖ ମିଳେ ବୋଲି ଲୋକମାନଙ୍କୁ ଉତ୍ତମ ଧାରଣା ଦିଆଯାଉଥିଲା । ବ୍ୟକ୍ତିଗତ ଆତ୍ମାର ସଦ୍‌ଗତି ନିମିତ୍ତ ପ୍ରତ୍ୟେକ ଲୋକ ଜାତି ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ଚେଷ୍ଟିତ ଥିଲେ । ଉକ୍ତ ସମ୍ପ୍ରଦାୟ ନାମରେ ଅନ୍ୟ ଗୋଟିଏ ଗୋଷ୍ଠୀ ଅଶୋକଙ୍କ ରାଜ୍ୟରେ ଦେଖା ଦେଇଥିଲା । ଏହାର କାର୍ଯ୍ୟ ଥିଲା, ଲୋକଙ୍କୁ ସତ୍‌ମାର୍ଗରେ ପରିଚାଳିତ କରିବା ।

 

ତାଙ୍କ ସମୟରେ ଅତ୍ୟୁନ୍ନତ ଚିନ୍ତାଧାରା ଲୋକମାନଙ୍କ ମନରାଜ୍ୟକୁ ଅଧିକାର କରିଥିଲା । ସେମାନେ ବର୍ତ୍ତମାନ ଜୀବନର ସୁଖସମ୍ଭୋଗକୁ ନାପସନ୍ଦ କରୁଥିଲେ । ସେ ସମୟରେ ଲୋକେ ମଧ୍ୟ ଯକ୍ଷ, ରକ୍ଷ, ନାଗ ଓ ଗନ୍ଧର୍ବପ୍ରଭୃତିର ପୂଜା କରୁଥିଲେ ବୋଲି, ପାଲ୍ଲୀଲିପିରୁ ଜଣାପଡ଼େ । ସାଧାରଣତଃ ସ୍ତ୍ରୀଲୋକମାନେ ଏହିପ୍ରକାର ପୂଜାର ପକ୍ଷପାତୀ ଥିଲେ । ସେମାନଙ୍କ ପ୍ରତି ବୌଦ୍ଧରାଜ ଅଶୋକ ଉଦାର ଥିଲେ । ବେଦରେ ଯେପରି ସ୍ୱାସ୍ଥ୍ୟଦୃଷ୍ଟିରୁ ପାନ ଭୋଜନ ନିମିତ୍ତ ନିୟମାନ ପ୍ରଣୀତ ହୋଇଥିଲା, ଅଶୋକ ସେହିପରି ନିୟମ ପ୍ରଣୟନ କରିଥିଲେ । ଯାଜ୍ଞବଳ୍କ, ମନୁ ପ୍ରଭୃତି ଋଷି ଗଣ୍ଡାମାସଂକୁ ପବିତ୍ର ମାଂସ ବୋଲି ମନେ କରୁଥିଲେ । ପିତୃପିତା ଶ୍ରାଦ୍ଧଦିବସମାନଙ୍କରେ ତାହା ପିତୃବର୍ଗଙ୍କୁ ଅର୍ପିତ ହେବ ବୋଲି ସେମାନେ ଲେଖି ଯାଇଛନ୍ତି । କାରଣ ତାହା ସମାନ ପବିତ୍ର ମାଂସ ଜଗତରେ ମିଳିବା ଅସମ୍ଭବ । କିନ୍ତୁ ଅଶୋକ ତାହା ବାରଣ କରିଥିଲେ । ସ୍ମୃତି ଓ ସଂହିତାରେ ଏପରି କେତେଗୁଡ଼ିଏ ଜୀବଙ୍କ ସମ୍ବନ୍ଧରେ ଲେଖାଯାଇଛି, ଯେଉଁମାନଙ୍କୁ ବଧ କରାଯାଇ ଯଜ୍ଞରେ ବଳି ଦିଆଯାଇପାରିବ, କିନ୍ତୁ ଉଦାରମନା ବୌଦ୍ଧରାଜ ଅଶୋକ ସେ ସବୁ ଜୀବ ମଧ୍ୟ ବଧ ନ କରିବାପାଇଁ ନିୟମ ପ୍ରଣୟନ କରିଥିଲେ । ସେ କିପରି ହୃଦୟବାନ ଲୋକ ଥିଲେ ତାହା ସହଜରେ ଜଣାପଡ଼େ । ରାଜାଙ୍କର ରାଣୀମାନେ ରାଣୀମହଲରେ ରହୁଥିଲେ । ଏପରିକି ସୂର୍ଯ୍ୟଙ୍କୁ ଦର୍ଶନ କରିବା ସୁଯୋଗରୁ ସେମାନେ ବଞ୍ଚିତ ହେଉଥିଲେ । ସମାଜରେ ସ୍ତ୍ରୀମାନେ ପ୍ରାଚୀନ କୁସଂସ୍କାରକୁ ଅନୁକରଣ କରି ବ୍ରତ ପୂଜା ପ୍ରଭୃତି ମାନି ଚଳୁଥିଲେ । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ପ୍ରଭୃତି ସେ ସମୟରେ ଚାରି ବର୍ଣ୍ଣ ବାସ କରୁଥିଲେ ସୁଦ୍ଧା ଜାତିର କାର୍ଯ୍ୟ କୌଣସି ଧରାବନ୍ଧା ନିୟମ ଉପରେ ପ୍ରତିଷ୍ଠିତ ଥିଲାପରି ମନେ ହୁଏନାହିଁ ।

 

ଅଶୋକ ମନୁଷ୍ୟ ଓ ପଶୁ ଚିକିତ୍ସାପାଇଁ ଭିନ୍ନ ଭିନ୍ନ ଚିକିତ୍ସାକେନ୍ଦ୍ର ଖୋଲିଥିଲେ । ଜନସାଧାରଣ ଓ ପଶୁମାନଙ୍କ ଚିକିତ୍ସା ରାଜାଙ୍କଠାରୁ ବେତନପ୍ରାପ୍ତ ଚିକିତ୍ସକମାନଙ୍କଦ୍ୱାରା ସମାହିତ ହେଉଥିଲା । ରାଜ୍ୟରେ ଡାକ୍ତର ବା ଚିକିତ୍ସକମାନଙ୍କୁ ବିଶେଷ ସୁବିଧା ପ୍ରଦାନ କରାଯାଉଥିଲା । ସେମାନଙ୍କୁ ଜମିର ରାଜସ୍ୱ ଦେବାକୁ ପଡ଼ୁ ନଥିଲା । ଔଷଧବୃକ୍ଷ ରୋପଣ ନିମିତ୍ତ ଚିକିତ୍ସକମାନଙ୍କୁ ଜମି ପ୍ରଦାନ କରାଯାଉଥିଲା । ଏହାଙ୍କ ସମୟରେ ଶିକ୍ଷାର ଯଥେଷ୍ଟ ପ୍ରସାର ଥିଲା ବୋଲି ସହଜରେ ଅନୁମେୟ । ବ୍ରାହ୍ମୀ, ପାଲ୍ଲୀ ଓ ଖାରୋସ୍ଥି ଭାଷାର ପ୍ରଚଳନ ଶିକ୍ଷାକ୍ଷେତ୍ରରେ ଉତ୍ତମରୂପେ ଥିଲା । ତକ୍ଷଶିଳାର ଶିଳାଲିପିରୁ ଏହାଙ୍କ ସମୟରେ ଅନ୍ୟ ଗୋଟିଏ ଭାଷା ଥିବାର ଜଣାପଡ଼େ । ଏହି ଭାଷାର ନାମ ‘‘ଆରମାଇକ’’ । ମୌର୍ଯ୍ୟସାମ୍ରାଜ୍ୟ ଉପରେ ପାରସ୍ୟ ଦେଶର କଳାଚାତୁରୀ ଓ ଭାଷାର ମଧ୍ୟ ଯଥେଷ୍ଟ ପ୍ରଭାବ ପଡ଼ିଥିଲା । ଐତିହାସକମାନେ ମତ ପୋଷଣ କରନ୍ତି, ଅଶୋକଙ୍କ ପୂର୍ବରୁ ଭାରତୀୟ କଳାଚାତୁରୀ କାଷ୍ଠଗାତ୍ରରେ ପ୍ରସ୍ଫୁଟିତ ହୋଇଥିଲା; କିନ୍ତୁ ବୌଦ୍ଧରାଜଙ୍କ ସମୟରେ କଳା ପ୍ରସ୍ତର ବକ୍ଷରେ ଆତ୍ମପ୍ରକାଶ କଲା ।

 

ଆଜିକାଲି ଯେପରି ବ୍ରହ୍ମଦେଶ, ଚୀନ ଓ ଜାପାନ ପ୍ରଭୃତି ଦେଶରେ ଉତ୍କୃଷ୍ଟ ଧରଣର କାଷ୍ଠର କାରୁକାର୍ଯ୍ୟ ଦେଖାଯାଏ, ଭାରତୀୟମାନେ ଅଶୋକଙ୍କ ପୂର୍ବରୁ ସେହିପରି କାଷ୍ଠ ଦେହରେ କଳା ପ୍ରଦର୍ଶନ କରୁଥିଲେ ଏବଂ ସେଗୁଡ଼ିକ ବହୁଦିନଧରି ଅକ୍ଷୁର୍ଣ୍ଣ ରହୁଥିଲା । ମେଘାସ୍ଥିନିସଙ୍କ ବିବରଣୀରୁ ଜଣାପଡ଼େ, ପାଟଳୀପୁତ୍ରର ଚତୁର୍ଦ୍ଦିଗରେ ଗୋଟିଏ କାଷ୍ଠନିର୍ମିତ ପ୍ରାଚୀର ଥିଲା । ସେହି ପ୍ରାଚୀର ଦେହରେ ବାହାରକୁ ଶର ନିକ୍ଷେପ କରିବାନିମିତ୍ତ ଅସଂଖ୍ୟ ଛିଦ୍ର ଥିଲା । ମୌର୍ଯ୍ୟ ନରପତି ବିଦେଶୀ ଶତ୍ରୁ-ଆକ୍ରମଣ ପ୍ରତିରୋଧ କରିବାକୁ ଏପରି ଉପାୟ ଉଦ୍ଭାବନ କରିଥିଲେ । ସେହି ଛିଦ୍ରପଥଗୁଡ଼ିକଦେଇ ସହଜରେ ବାହାରକୁ ଶର ନିକ୍ଷେପ କରାଯାଉ ଥିଲା । ଅଶୋକଙ୍କ ସମୟରେ ବିଭିନ୍ନ ସ୍ଥାନରେ ପ୍ରସ୍ତରକାର୍ଯ୍ୟର ଶୁଭ ପ୍ରଦାନ କରାଯାଇ ଥିଲା । ପ୍ରାୟ ତ୍ରୟୋଦଶ ଶତାବ୍ଦୀରେ ଭାରତୀୟ କଳା ପୂର୍ଣ୍ଣଭାବରେ ବିକଶିତ ହୋଇଥିଲା ।

 

ସେହି ସମୟରେ ଓଡ଼ିଶାର ସାଗରକୂଳରେ କୋଣାର୍କ ମନ୍ଦିର ସଗର୍ବରେ ମସ୍ତକୋତ୍ତୋଳନ କରି ଜଗତରେ ଶିଳ୍ପର ମାହାତ୍ମ୍ୟ ଉତ୍ତମ ରୂପେ ପରିସ୍ୱୁଟ କରି ପାରିଥିଲା । ସାରନାଥରେ ଅଶୋକଙ୍କ ସମୟର ଅତ୍ୟୁନ୍ନତ କଳାଚାତୁରୀ ପ୍ରକଟିତ ହେବାର ଦେଖାଯାଇଛି । ସାରନାଥ ସ୍ତୂପର ସିଂହମୂର୍ତ୍ତି ଦର୍ଶନକରି ଆମ୍ଭେମାନେ ଅଧୁନା ମଧ୍ୟ ବିସ୍ମୟାଭିଭୂତ ହେଉଁ । ସେହି କଳା ମଧ୍ୟରେ ପ୍ରାକୃତିକ ସତ୍ତା ଥିବାର ଆମ୍ଭେମାନେ ଉତ୍ତମରୂପେ ହୃଦୟଙ୍ଗମ କରିପାରୁ । ପାରସ୍ୟ ଓ ଗ୍ରୀକ୍ କଳାର ସମ୍ମିଶ୍ରଣରେ ଅଶୋକଙ୍କ ରାଜ୍ୟରେ ଏକ ଅଦ୍ଭୁତ କଳା ଦେଖା ଦେଇଥିଲା । ଗ୍ରୀକ୍‌ମାନେ ଆସିରିଆନମାନଙ୍କଠାରୁ କଳାବିଦ୍ୟା ଶିକ୍ଷା କରିଥିଲେହେଁ ସେମାନଙ୍କ ଦାନ ଜଗତ ପକ୍ଷରେ ଅତ୍ୟନ୍ତ ମୂଲ୍ୟବାନ ।

 

କଳାଜଗତରେ ଗ୍ରୀସ୍‌ର ସ୍ଥାନ ସର୍ବଶ୍ରେଷ୍ଠ । ଅଶୋକଙ୍କ ମିଶ୍ରଣ କଳାକୁ ସେହି ଗ୍ରୀକ୍ କଳାର ଏକ ଅଂଶ କୁହାଯାଇ ପାରେ । କେତେକ ଐତିହାସିକ କହନ୍ତି ଅଶୋକଙ୍କ ସମୟର କଳାର ଆସିରିଆନ୍‌ମାନଙ୍କ କଳା ସହିତ ସାମଞ୍ଜସ୍ୟ ଅଛି । ରାଜଗିରିରେ ‘‘ଜରାସନ୍ଧକୀ’’ ବୈଠକ ବୋଲି ଗୋଟିଏ କଳାପୂର୍ଣ୍ଣ ପ୍ରସ୍ତର ଦେଖାଯାଏ । ତାହା ମୌର୍ଯ୍ୟମାନଙ୍କ ପୂର୍ବରୁ ଖୋଦିତ ହୋଇଥିବାର ଜଣାଯାଏ । ଆସିରିୟାନ୍ ରାଜାମାନଙ୍କର ଉପାଧି ଅସୁର ଥିଲା । ବେଦରେ ଲେଖାଯାଇଛି, ଆର୍ଯ୍ୟମାନଙ୍କର ଅସୁରମାନଙ୍କ ସହିତ ସମ୍ପର୍କ ଥିଲା । ଏପରିକି ରାମାୟଣ ମହାଭାରତରୁ ଆମେ ତାହାର ଭୂରି ଭୂରି ପ୍ରମାଣ ପାଉଁ । ଜରାସନ୍ଧ ଅସୁର ଥିଲା ବୋଲି ମହାଭାରତରେ ବର୍ଣ୍ଣିତ ଅଛି । କିନ୍ତୁ ଅସୁର କଳାବିଷୟରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ସେପରି ପ୍ରମାଣ ଦର୍ଶାଇ ପାରି ନାହାନ୍ତି, ତଥାପି ଅଶୋକଙ୍କ ସମୟର କଳା ସହିତ ଆସିରିଆନ୍‌ମାନଙ୍କ କଳାର କେତେକ ସାମଞ୍ଜସ୍ୟ ଥିବାର ଜଣାଯାଏ ।

Image

 

ଲିପି

 

ଚତୁର୍ଦ୍ଦଶ ଶିଳାଲିପିମାନଙ୍କରେ ରାଜା ପ୍ରିୟ ବର୍ଗ । ନିମ୍ନଲିଖିତ ଲେଖା ଲେଖିଯାଇଛନ୍ତି ।

 

(କ)

ସମାଜରେ ବଳିପ୍ରଥା ନିଷିଦ୍ଧ । ନିଜ ଖାଦ୍ୟ ନିମିତ୍ତ ଜୀବହତ୍ୟା ବନ୍ଦ ।

(ଖ)

ଦେଶବିଦେଶରେ ପଶୁ ଓ ମାନବ ଚିକିତ୍ସାର ପ୍ରଚାର ବୃକ୍ଷରୋପଣ, କୂପଖନନ ଓ ସରାଇ ନିର୍ମାଣ ।

(ଗ)

ଦେଶର ପ୍ରତ୍ୟେକ ଯାଗାରେ ଯୁକ୍ତ, ରାଜୁକା ଓ ପ୍ରଦେଶିକାମାନଙ୍କୁ ଭ୍ରମଣ କରିବାର ଆଦେଶ ପ୍ରଦାନ ଓ ପାଞ୍ଚବର୍ଷରେ ଥରେ ରାଜ୍ୟରେ ଧର୍ମପ୍ରଚାର ନିମିତ୍ତ କର୍ମଚାରୀମାନଙ୍କ ସାମୁଦ୍ରିକ ଭ୍ରମଣ । ରାଜ୍ୟସାରା ଜୀବହତ୍ୟା ନିଷିଦ୍ଧ । ବ୍ରାହ୍ମଣ ଓ ଶ୍ରମଣମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ।

(ଘ)

ଜୀବଜଗତ ପ୍ରତି ଶ୍ରଦ୍ଧା ଓ ସସ୍ନେହ ଆଚରଣ । ସାମାଜିକ ଶୃଙ୍ଖଳା ଆନୟନ । ଧର୍ମଲିପିର ବହୁଳ ପ୍ରସାର ।

(ଙ)

ଧର୍ମମହାମନ୍ତ୍ରମାନଙ୍କର ନିଯୁକ୍ତି ଓ ସେମାନଙ୍କୁ କାର୍ଯ୍ୟାର୍ଥେ ବିଦେଶ ପ୍ରେରଣ ।

(ଚ)

ପ୍ରଭେଦିକାମାନଙ୍କୁ ନିଯୁକ୍ତି ପ୍ରଦାନ ଓ ଦେଶରେ ଯେ କୌଣସି ଅଂଶରେ ଆପତ୍ତି ଓଜର, ଯେ କୌଣସି ସମୟରେ ରାଜା ଶୁଣି ପାରିବାର ବ୍ୟବସ୍ଥା । ଭାରତ ସଙ୍ଗେ ସଙ୍ଗେ ସାରା ଜଗତର ମଙ୍ଗଳ କରିବାକୁ ଅଭିଳାଷ ବା ଇଚ୍ଛା ପ୍ରକାଶ କରିବା ।

(ଛ)

ଆତ୍ମଶୁଦ୍ଧିର ଉପାୟ ଉଦ୍ଭାବନ ଓ ରାଜ୍ୟସାରା ତାହାର ପ୍ରସାର ସାଧନ ।

(ଜ)

ବୋଧିଦ୍ରୁମ ପରିଦର୍ଶନପରେ ବିଭିନ୍ନ ସ୍ଥାନରେ ସ୍ୱୟଂ ଉପସ୍ଥିତ ହୋଇ ଧର୍ମୋପଦେଶ ପ୍ରଦାନ ।

(ଝ)

ଧର୍ମମଙ୍ଗଳର ସଂସ୍ଥାପନା ।

(ଞ)

ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଜନସାଧାରଣଙ୍କର ଧର୍ମନୈତିକ ଜୀବନ ନିୟନ୍ତ୍ରଣର ସୁଚିନ୍ତିତ ବ୍ୟବସ୍ଥା ।

(ଟ)

ସମାଜ ମଧ୍ୟରେ ପରସ୍ପରପ୍ରତି ଭକ୍ତି ଓ ଶ୍ରଦ୍ଧା ଜ୍ଞାପନ । ଚାକର ଓ ଅଧସ୍ତନ କର୍ମଚାରୀମାନଙ୍କ ପ୍ରତି ସଦୟ ବ୍ୟବହାର ।

(ଠ)

ପ୍ରତ୍ୟେକ ଧର୍ମକୁ ସମଚକ୍ଷୁରେ ଦେଖିବା । ଧର୍ମ ଧର୍ମ ମଧ୍ୟରେ ଐକ୍ୟ ପ୍ରତିଷ୍ଠା କରିବାର ଚେଷ୍ଟା ।

(ଡ)

କଳିଙ୍ଗଯୁଦ୍ଧର ବିଭୀଷିକା ବର୍ଣ୍ଣନ ଓ ସେହି ମର୍ମନ୍ତୁଦ ଘଟଣାରେ ସେ ବିଶେଷ ମର୍ମାହତ । କଳିଙ୍ଗବାସୀମାନଙ୍କ ଜୀବନର ଅବସ୍ଥାକୁ ଉନ୍ନତ ସ୍ତରକୁ ଆଣିବାପାଇଁ ଯତ୍ପରୋନାସ୍ତି ଚେଷ୍ଟା ।

(ଢ)

ଦେଶସାରା ଧର୍ମଲିପି ଖୋଦନ । କାରଣ ତଦ୍ଦ୍ୱାରା ଜନସାଧାରଣଙ୍କ ଚରିତ୍ର ଉତ୍ତମରୂପେ ପ୍ରଭାବିତ ହେବ ଓ ଭବିଷ୍ୟତ ନରପତିଗଣ ତଦନୁଯାୟୀ ଲୋକମାନଙ୍କର ସାମାଜିକ ଓ ଧର୍ମନୈତିକ ଜୀବନ ନିୟନ୍ତ୍ରଣ କରିବେ ।

 

ସ୍ତମ୍ଭଲିପିମାନଙ୍କରେ ନିମ୍ନଲିଖିତ ବିଷୟ ଲେଖାଥିବାର ଜଣା ପଡ଼େ ।

 

(କ)

ରାଜା ଯେତେବେଳେ ଛବିଶ ବର୍ଷ ବୟସରେ ପଦାର୍ପଣ କଲେ, ସେତେବେଳେ ଧର୍ମଲିପି ଆବିଷ୍କୃତ ହେଲା । ନିମ୍ନ ଓ ଉଚ୍ଚ ପଦସ୍ଥ କର୍ମଚାରୀଗଣ ବିପଥଗାମୀ ଯୁବକମାନଙ୍କୁ ସତ୍‌ମାର୍ଗରେ ପରିଚାଳିତ କରିବାପାଇଁ ସମ୍ପୂର୍ଣ୍ଣ ଦାୟୀ ରହିଲେ ।

(ଖ)

ଦ୍ୱିତୀୟ ସ୍ତମ୍ଭଲିପିରେ ସେ ବୁଦ୍ଧଙ୍କ ନୀତିବାଣୀର ଯଥେଷ୍ଟ ଉପଦେଶ ଦେଇ ପ୍ରାଣୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବାକୁ ରାଜ୍ୟସାରା ଆବେଦନ କରିଛନ୍ତି ।

(ଗ)

ଇନ୍ଦ୍ରିୟଦମନ ଓ ପାପକାର୍ଯ୍ୟ ନିରାକରଣର ଉପାୟ ସେ ବର୍ଣ୍ଣନା କରିଛନ୍ତି ।

(ଘ)

ରାଜୁକାମାନଙ୍କୁ କିପରି ବିଚାର ବିଭାଗରେ ସର୍ବୋଚ୍ଚ ସ୍ଥାନ ଦିଆ ଯାଇଥିଲା, ତାହା ଏଥିରେ ବର୍ଣ୍ଣିତ ଅଛି । ପରେ ମଧ୍ୟ ଏହିମାନେ ଧର୍ମଜଗତ ନିୟନ୍ତ୍ରଣ କରିଥିଲେ ।

(ଙ)

ପ୍ରାଣୀଜଗତରେ କ୍ଷତିସାଧନ ନ କରିବା ପାଇଁ ସେ ଯତ୍ପରୋନାସ୍ତି ଚେଷ୍ଟା କରିଥିଲେ । ଏପରିକି ଜଙ୍ଗଲରେ ନିଆଁ ଲାଗି କାଳେ ଲକ୍ଷ ଲକ୍ଷ ପ୍ରାଣୀଙ୍କର ଜୀବନନାଶ ହେବ ତନ୍ମିମିତ୍ତ ସେ ବିଶେଷ ସଜାଗ ରହୁଥିଲେ ।

(ଚ)

ଏଥିରେ ଜାତିଧର୍ମ ନିର୍ବିଶେଷରେ ରାଜା କିପରି ପ୍ରତ୍ୟେକ ଲୋକଙ୍କୁ ସମ୍ମାନ ଦେଖାଉଥିଲେ, ତାହା ବର୍ଣ୍ଣିତ ହୋଇଛି ।

(ଛ)

ଏଥିରେ ରାଜାଙ୍କର ଦେଶହିତକର କାର୍ଯ୍ୟର ସବିଶେଷ ବିବରଣୀ ଦିଆ ଯାଇଛି ।

 

ଏହା ବ୍ୟତୀତ କ୍ଷୁଦ୍ର ଶିଳାଲିପି ଓ ବିଭିନ୍ନ କଳିଙ୍ଗ ଶିଳାଲିପିରୁ ଆମ୍ଭେମାନେ ଅଶୋକଙ୍କ ସମୟର ବହୁତ ଘଟଣା ଜାଣି ପାରିବା ।

Image

 

ପୃଥିବୀରେ ଅଶୋକଙ୍କ ସ୍ଥାନ

 

ଅଶୋକଙ୍କ ଜୀବନଚରିତ ଆଲୋଚନା କଲେ ଜଣାଯାଏ, ପୃଥିବୀର ଇତିହାସପ୍ରସିଦ୍ଧ ନରପତିମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ଅତ୍ୟନ୍ତ ଉଚ୍ଚରେ । ସମଗ୍ର ବିଶ୍ୱର କଲ୍ୟାଣଲାଗି ସେ ସତତ ଚେଷ୍ଟିତ ଥିଲେ । ଏହା କମ୍ ଆଦର୍ଶର କଥା ନୁହେଁ । ଖାଲି ଯେ ମାନବ ସମାଜକୁ ସେ ବିଶେଷ ଦାନ ଦେଇଛନ୍ତି ତାହା ନୁହେଁ, ସମଗ୍ର ଜୀବଜଗତ ତାଙ୍କଠାରେ ଋଣୀ । ରାଜା ହିସାବରେ ସେ ପ୍ରଜାମାନଙ୍କ ହିତ ସାଧନ କାର୍ଯ୍ୟରେ ଲିପ୍ତ ହୋଇ ତାହାରି ଦ୍ୱାରା କିପରି ମାନବ ସମାଜର ପ୍ରଭୁତ କଲ୍ୟାଣ ସାଧିତ ହେବ, ସେ ଦିନରାତି ଚିନ୍ତାକରି ଅଭିନବ ଯୋଜନା ପ୍ରସ୍ତୁତ କରୁଥିଲେ । ପ୍ରଜାମାନଙ୍କର ଐହିକ ଓ ପାରତ୍ରିକ ସୁଖ କାମନା କରିବାରେ ସେ ପୃଥିବୀର ଅଦ୍ୱିତୀୟ ସମ୍ରାଟ୍ ଥିଲେ । ତାହାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ନରପତି ଜଗତରେ ବିରଳ । ରାଜାର କର୍ତ୍ତବ୍ୟ ପ୍ରଜାମାନଙ୍କୁ ପୁତ୍ରଦୃଷ୍ଟିରେ ଦେଖିବା, କିନ୍ତୁ ଅଶୋକ ଜଗତର ସମସ୍ତ ପ୍ରାଣୀଙ୍କ ପ୍ରତି ସ୍ନେହ ପ୍ରଦର୍ଶନ କରିଥିଲେ । ସେ ବିଶ୍ୱପ୍ରେମୀ ଥିଲେ । ଔଷଧ ବୃକ୍ଷରୋପଣ, ସରାଇ ନିର୍ମାଣ, କୂପଖନନ ପ୍ରଭୃତି ଦେଶ ହିତକର କାର୍ଯ୍ୟର, ସାରା ଭାରତରେ କାହିଁକି ସମଗ୍ର ଜଗତରେ ପ୍ରସାର କରିବା ଫଳରେ ତାହାଙ୍କ ବିଶ୍ୱପ୍ରୀତିର ଯଥେଷ୍ଟ ନିଦର୍ଶନ ମିଳେ । ଶାରୀରିକ, ମାନସିକ ଓ ନୈତିକ ବିକାଶର ପଥ ଜଗତବାସୀଙ୍କୁ ମହାମନା ଅଶୋକ ଦେଖାଇ ଦେଇଅଛନ୍ତି ।

 

ବୁଦ୍ଧଙ୍କ ପ୍ରଚାରିତ ବୌଦ୍ଧଧର୍ମ ସିଂହଳ, ଭାରତ ଓ ଚୀନରେ ଥିଲେ ସୁଦ୍ଧା ପଶ୍ଚିମ ଏସିୟାରେ ତାହାର ବିସ୍ତାର ହୋଇନଥିଲା । କିନ୍ତୁ ବୌଦ୍ଧରାଜ ଅଶୋକଙ୍କ ସମୟରେ ବୌଦ୍ଧଧର୍ମର ପ୍ରଭାବ, ଏସିୟା, ଇଉରୋପ ଓ ଆଫ୍ରିକାରେ ଦୃଢ଼ଭାବରେ ପତିତ ହୋଇଥିଲା । ସେହି ସମୟରେ ଏହି ଧର୍ମ ଗ୍ରୀକଧର୍ମ ଉପରେ ମଧ୍ୟ ପ୍ରଭାବ ବିସ୍ତାର କରିଥିଲା । ବୁଦ୍ଧଙ୍କ ସମୟରେ ଏହି ବୌଦ୍ଧଧର୍ମର ଜନ୍ମ ହେଲେ ସୁଦ୍ଧା ତାହା ମନୁଷ୍ୟ ମନୁଷ୍ୟ ମଧ୍ୟରେ ଭ୍ରାତୃଭାବ ସ୍ଥାପନ କରି ପାରିନଥିଲା । କିନ୍ତୁ ଅଶୋକଙ୍କ ସମୟରେ ମାନବଜାତି ମଧ୍ୟରେ ଐକ୍ୟପ୍ରତିଷ୍ଠା ଓ ଜୀବଜଗତର ମହୋପକାର ସାଧନ ସମ୍ଭବପର ହୋଇ ପାରିଥିଲା । ବୁଦ୍ଧଙ୍କ ସମୟରେ ବୌଦ୍ଧଧର୍ମର ନୀତି ସାହାଯ୍ୟରେ ପ୍ରାଣୀମାନଙ୍କର ହିତ ସାଧିତ ହୋଇ ନଥିଲା । ରୋମାନ୍ ସମ୍ରାଟ୍ କନ୍‌ଷ୍ଟାଣ୍ଟାଇନ୍ ଖ୍ରୀଷ୍ଟଧର୍ମ ଓ ଅଶୋକ ବୌଦ୍ଧଧର୍ମର ପୃଷ୍ଠପୋଷକ ଥିଲେ । ଏହି ଦୁଇ ସମ୍ରାଟଙ୍କୁ ତୁଳନା କଲେ ଦେଖାଯାଏ, ରାଜନୈତିକ ଦୁରଭିସନ୍ଧି ରଖି କନ୍‌ଷ୍ଟାଣ୍ଟାଇନ୍ ଖ୍ରୀଷ୍ଟଧର୍ମ ପ୍ରଚାର ଦିଗରେ କାର୍ଯ୍ୟ କରିଥିଲେ । କିନ୍ତୁ ଅଶୋକଙ୍କର ବୌଦ୍ଧଧର୍ମ ପ୍ରଚାର କରିବାରେ କୌଣସି ସ୍ୱାର୍ଥ ନ ଥିଲା । ଆରେଲିୟସ, ଆଣ୍ଟୋନିୟସ ନାମକ ରୋମାନ ସମ୍ରାଟ ଉନ୍ନତ ଓ ନୀତିମୟ ଜୀବନଯାପନ କରିବା ଦିଗରେ ସମ୍ରାଟ ଅଶୋକଙ୍କ ସହିତ ସମାନ କିମ୍ବା ତାଙ୍କ ଅପେକ୍ଷା ବେଶି ହୋଇପାରନ୍ତି କିନ୍ତୁ ତାଙ୍କର ଚିନ୍ତାଧାରା କେବଳ ରୋମର ମଙ୍ଗଳନିମିତ୍ତ ସୀମାବଦ୍ଧ ଥିଲା । ମାତ୍ର ମହାମନା ଅଶୋକଙ୍କର ଏପରି କ୍ଷୁଦ୍ର ବୁଦ୍ଧି ନ ଥିଲା । ସେ ସମଗ୍ର ଜଗତର ମଙ୍ଗଳକାମୀ ଥିଲେ ।

 

ସାର୍ଲମେନ୍, ଆଲଫ୍ରେଡ ଓ ଓମରଖାଲିଫ ପ୍ରଭୃତି ଗୁଣୀ ସମ୍ରାଟଙ୍କ ସହିତ ଅଶୋକଙ୍କର ତୁଳନା କଲେ ମଧ୍ୟ ବିଶ୍ୱପ୍ରେମିକତା ଦିଗରେ ତାଙ୍କର ସ୍ଥାନ ସେମାନଙ୍କ ଅପେକ୍ଷା ଉଚ୍ଚତର । ଜଗତରେ ତାଙ୍କପରି ଯୋଦ୍ଧା ସୁଶାସକ ଥିଲେ ସୁଦ୍ଧା ଜଗତର ପ୍ରାଣୀମାନଙ୍କର ନୈତିକ ଓ ଭୌତିକ ଉନ୍ନତିଲାଗି ସେମାନେ କେହି କେବେ ସ୍ୱପ୍ନରେ ଭାବି ନ ଥିଲେ । କେତେକ ଐତିହାସିକ ବୌଦ୍ଧରାଜ ଅଶୋକଙ୍କୁ ମୋଗଲ ସମ୍ରାଟ୍ ଆକବରଙ୍କ ସହିତ ତୁଳନା କରିଥାନ୍ତି । ଅଶୋକ ଯେପରି ସବୁଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିଲେ, ଆକବର ମଧ୍ୟ ତଦ୍ରୂପ ଥିଲେ । ଆକବର ସବୁ ଧର୍ମର ସମନ୍ୱୟ ପ୍ରତିପାଦନ କରିବା ସକାଶେ ଦୀନ-ଇଲ୍ଲାହୀ ଧର୍ମକୁ ଜନ୍ମ ଦେଇଥିଲେ । ଏହି ଧର୍ମର ମୂଳ ନୀତି ସୂର୍ଯ୍ୟପୂଜା । ସବୁ ଧର୍ମକୁ ସମଦୃଷ୍ଟିରେ ଦେଖିବା ନୀତିରୁ ଜଣାପଡ଼େ, ତାହା ତାଙ୍କୁ ସାମ୍ରାଜ୍ୟ ବଢ଼ାଇବା ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା । ହିନ୍ଦୁ ରମଣୀମାନଙ୍କୁ ସେ ନିଜେ ବିବାହ କରିବା ଓ ମାନସିଂହ, ତୋଦରମଲ୍ଲ ପ୍ରଭୃତି ହିନ୍ଦୁମାନଙ୍କୁ ପ୍ରଧାନ କାର୍ଯ୍ୟରେ ନିଯୁକ୍ତ କରିବା ତାଙ୍କ କୂଟନୀତିର ପରିଚୟ ଛଡ଼ା ଅନ୍ୟ କିଛି ନୁହେଁ । ସେ ଯେ ସ୍ୱତଃପ୍ରଭୃତ୍ତ ହୋଇ ଧର୍ମର ଅନୁଶୀଳନ ନିଃସ୍ୱାର୍ଥପର ଭାବରେ କରୁଥିଲେ, ତାହା ନୁହେଁ; ନିଜର ମାହାତ୍ମ୍ୟ ବଢ଼ାଇବାଲାଗି ଦୀନ-ଇଲ୍ଲାହୀର ସୃଷ୍ଟି କରିଥିଲେ ବୋଲି ସ୍ପଷ୍ଟଭାବରେ ଜଣାପଡ଼େ । ସେ ଯଦି ନିଃସ୍ୱାର୍ଥପର ଭାବରେ ଏହି ଧର୍ମପ୍ରତି ଆକୃଷ୍ଟ ହୋଇଥାନ୍ତେ ତାହାହେଲେ ଦୀନ-ଇଲ୍ଲାହୀ ମୋଗଲ ରାଜଦରବାରରେ ସୀମାବଦ୍ଧ ରହିନଥାନ୍ତା । ସାମ୍ରାଜ୍ୟର ପ୍ରଧାନ ଧର୍ମରୂପେ ପ୍ରଜାବର୍ଗ ତାକୁ ସାଦରେ ଗ୍ରହଣ କରି ପାରି ଥାଆନ୍ତେ । ହିନ୍ଦୁ ମୁସଲମାନ ମଧ୍ୟରେ ଚିର ବୈରଭାବ ଶତାବ୍ଦୀଧରି ରହି ନଥାନ୍ତା ବା ଆଜି ଭାରତମାତାର ବକ୍ଷ ବିଦୀର୍ଣ୍ଣ ହୋଇ ହିନ୍ଦୁସ୍ଥାନ ଓ ପାକିସ୍ଥାନରେ ପରିଣତ ହୋଇ ନଥାନ୍ତା ।

 

ନୈତିକତା ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଅଶୋକ ଆକବରଙ୍କଠାରୁ ଅନେକ ଉଚ୍ଚରେ ଥିଲେ । ଆକବର ରାଜକାର୍ଯ୍ୟ ଚଳାଇବା ପାଇଁ ନିଜକୁ ହିନ୍ଦୁବେଶରେ ସଜାଉ ଥିଲେ । ଏହା ତାଙ୍କର ଏକ ରାଜନୈତିକ ଛଳନା । ସଂଖ୍ୟାଧିକ ହିନ୍ଦୁ ଗୋଷ୍ଠିକୁ ସନ୍ତୁଷ୍ଟ କରିବା ପାଇଁ ସେ ଏପରି ଛଦ୍ମବେଶରେ ନିଜକୁ ସଜାଉଥିଲେ ଏହା ସମସ୍ତେ ମୁକ୍ତକଣ୍ଠରେ ସ୍ୱୀକାର କରିବେ । ଏହାଦ୍ୱାରା ତାଙ୍କ ସାମ୍ରାଜ୍ୟର ବହୁଳ ହିତ ସାଧିତ ହୋଇଥିଲା ସତ୍ୟ, କିନ୍ତୁ ବିଶ୍ୱର କଲ୍ୟାଣ ଲାଗି ସେ କିଛି କରି ଯାଇ ନାହାନ୍ତି ।

 

ଦିକନ୍ଦର, ଜୁଲିୟସ୍ ସିଜର ଓ ନେପୋଲିୟନ ପ୍ରଭୃତି ସମ୍ରାଟମାନଙ୍କର ଋଣ ଦୁନ୍ଦୁଭି ସମଗ୍ର ଜଗତରେ ଦିନେ ବାଜି ଉଠିଥିଲା । ସେମାନେ ଉତ୍ତମ ଯୋଦ୍ଧା କିମ୍ବା ସୁଶାସକ ହୋଇ ପାରିଥାନ୍ତି ମାତ୍ର ମାନବସମାଜ ବା ଜଗତକୁ ସେମାନଙ୍କ ଦାନ କିଛି ନାହିଁ କହିଲେ ଚଳେ । କିନ୍ତୁ ସେମାନଙ୍କର ଜୀବନ ଚରିତ ଆମ ଇତିହାସର କଳେବର ବୃଦ୍ଧି କରିଛି । ସିକନ୍ଦର ଭାରତରେ ଗ୍ରୀକ୍ ସଭ୍ୟତା ବିସ୍ତାର କରିବାକୁ ବିଶେଷ ଚେଷ୍ଟା କରି ନଥିଲେ । ତାଙ୍କ ଚରିତ୍ରରେ ଅଧିକ ଦୁର୍ବଳତା ଥିଲା । ସେ ମଦ୍ୟପ ଓ ନିଷ୍ଠୁର ଥିଲେ । ଗର୍ବ ଓ ହିଂସା ତାଙ୍କ ହୃଦୟ ପ୍ରଦେଶକୁ ଅଧିକାର କରିଥିଲା । ସିକନ୍ଦରଙ୍କ ପୂର୍ବରୁ ସ୍ୱନାମଧନ୍ୟ ଗ୍ରୀକ୍ ସମ୍ରାଟଗଣ ଶୁଶ୍ରୁ ରଖୁଥିଲେ । କିନ୍ତୁ ସିକନ୍ଦର ଏତେ ଗର୍ବୀ ଥିଲେ ଯେ ସେ ସେମାନଙ୍କଠାରୁ ନିଜକୁ ଅତି ଉଚ୍ଚ ବୋଲି ଭାବୁଥିଲେ । ଲୋକମାନଙ୍କୁ ଏକ ନୂତନ ଆଦର୍ଶରେ ଗଢ଼ିବାର ସେ ଛଳନା କରୁଥିଲେ । ନିଜର ବିଶେଷତ୍ୱ ପ୍ରତିପାଦନ କରିବା ପାଇଁ ସେ ଶୁଶ୍ରୁ କ୍ଷୌର ହେଉଥିଲେ । ସମଗ୍ର ଇତାଲୀ ଓ ଗ୍ରୀସର ଲୋକେ ତାଙ୍କୁ ଏହି ବିଷୟରେ ଅନୁକରଣ କରିଥିଲେ । ଏପରି ମାନବକୁ ମହାମାନବ କୁହାଯାଇପାରେ କି-? ଜୁଲିୟସ ସିଜର ଯେପରି କ୍ଷମତାରେ ଥିଲେ ସେ ଜଗତ ପାଇଁ ବହୁତ କାର୍ଯ୍ୟ କରିଯାଇଥାନ୍ତେ, କିନ୍ତୁ ସେ ବଡ଼ ବିଳାସୀ, ଆତ୍ମାଭିମାନୀ, ଉଦ୍ଧତ ଓ ଉଚ୍ଚାଭିଳାଷୀ ଥିଲେ ।

 

ପୁନଶ୍ଚ, ସେ ସିକନ୍ଦରଙ୍କଠାରୁ ବହୁ ପରିମାଣରେ ଇନ୍ଦ୍ରିୟାସକ୍ତ ଥିଲେ । ଏତଦ୍‌ବ୍ୟତୀତ ତାହାଙ୍କଠାରେ ଗଠନମୂଳକ ପ୍ରଭୃତ୍ତିର ଯଥେଷ୍ଟ ଅଭାବ ପରିଲକ୍ଷିତ ହେଉଥିଲା । ସେପରି ଲୋକଠାରୁ ଜଗତ କଣ ଆଶା କରିପାରିବ ? ମହାବୀର ନେପୋଲିୟନ ତାଙ୍କ ଦେଶ ଓ ଜାତି ସକାଶେ ଯଥେଷ୍ଟ କାର୍ଯ୍ୟ କରିଥିଲେ ସୁଦ୍ଧା ସେ ଜଗତକୁ କୌଣସି ବିଷୟ ଦାନ କରି ଯାଇନାହାନ୍ତି-। ଅଶୋକଙ୍କଠାରେ ଗଠନମୂଳକ ପ୍ରଭୃତ୍ତି ଯଥେଷ୍ଟ ପରିମାଣରେ ଥିଲା । ସେହି ପ୍ରବୃତ୍ତି ତାହାଙ୍କୁ ବିଶ୍ୱକଲ୍ୟାଣ ସାଧନରେ ଯଥେଷ୍ଟ ସାହାଯ୍ୟ କରିଥିଲା । ତାଙ୍କ ସମୟରେ ମୌର୍ଯ୍ୟସାମ୍ରାଜ୍ୟ ଉନ୍ନତିର ଚରମସୀମାରେ ଉପନୀତ ହୋଇଥିଲା।

 

ଅଧୁନା ମଧ୍ୟ ଭଲ୍‌ଗାଠାରୁ ଯାପାନପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ମହାମାନବ ଅଶୋକଙ୍କୁ ବହୁ ସମ୍ମାନ ପ୍ରଦର୍ଶିତ ହୁଏ । ସହସ୍ରସଂଖ୍ୟକ ପୃଥିବୀର ନରପତିମାନଙ୍କ ମଧ୍ୟରେ ଅଶୋକ ଦେଦୀପ୍ୟମାନ ତାରକାସଦୃଶ ବିଦ୍ୟମାନ ବୋଲି ଐତିହାସିକ ଓୟେଲସ୍ ବର୍ଣ୍ଣନା କରିଛନ୍ତି । କନଷ୍ଟାଣ୍ଟାଇନ ଓ ସାର୍ଲମେନ୍‌ଙ୍କ ଅପେକ୍ଷା ପୃଥିବୀର ବେଶୀ ଲୋକ ଆଜିକାଲି ମଧ୍ୟ ଅଶୋକଙ୍କ ନାମ ମନେ ରଖିଛନ୍ତି । ଯୀଶୁଙ୍କ ପରେ ସେଣ୍ଟପଲ୍‌ଙ୍କ ନାମ ଯେପରି ଖ୍ରୀଷ୍ଟିୟାନ ଧର୍ମଗ୍ରନ୍ଥରେ ପ୍ରାଧାନ୍ୟ ଲାଭ କରିଛି, ସେହିପରି ବୁଦ୍ଧଙ୍କ ପରେ ଅଶୋକଙ୍କୁ ବୌଦ୍ଧ ଗ୍ରନ୍ଥାବଳୀରେ ବିଶେଷ ସ୍ଥାନ ଦିଆଯାଇଛି ।

 

ତାଙ୍କ ସମୟରେ ଭାରତବର୍ଷରେ ବୌଦ୍ଧକଳାର ଅଗ୍ରଗତି ଉତ୍ତମରୂପେ ହୋଇ ପାରିଥିଲା । ପାହାଡ଼ ଦେହରେ ମନ୍ଦିର ଓ ସ୍ତମ୍ଭ ଖୋଦିତ ହୋଇ ପାରିଥିଲା । ଚନ୍ଦ୍ରଗୁପ୍ତଙ୍କ ସମୟରେ ରାଜନୈତିକ ବିଜ୍ଞାନର ଯଥେଷ୍ଟ ଅନୁଶୀଳନ ହେଉଥିଲେ ସୁଦ୍ଧା ଅନ୍ୟାନ୍ୟ ଶାସ୍ତ୍ରର ବିରଳ ଆଲୋଚନା ଦେଖାଯାଉଥିଲା । ଅଶୋକଙ୍କ ସମୟରେ ଦର୍ଶନ, ନୀତିବିଜ୍ଞାନ, କଳା, ସାହିତ୍ୟ ଓ ଗଣିତ ପ୍ରଭୃତି ବିଦ୍ୟାର ସମପରିମାଣରେ ଚର୍ଚ୍ଚାର ଆବଶ୍ୟକତା ବୁଝି ଜନସାଧାରଣ ତହିଁରେ ମନପ୍ରାଣ ଢାଳି ଦେଇଥିଲେ । ତାଙ୍କ ସମୟରେ ପାଲ୍ଲୀଭାଷା ରାଷ୍ଟ୍ରଭାଷା ରୂପେ ପରିଗଣିତ ହେଉଥିଲା । ଅଶୋକଙ୍କ ପୂର୍ବରୁ ଭାରତର ଅଧିକାଂଶ ସ୍ଥାନରେ ଆର୍ଯ୍ୟମାନେ ବସତି ସ୍ଥାପନ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ମହାଭାରତୀୟ ଭାବ ଜାଗ୍ରତ ହୋଇ ନଥିଲା । କେବଳ ବୌଦ୍ଧରାଜ ଅଶୋକଙ୍କ ଜୀବନବ୍ୟାପୀ ସାଧନା ଫଳରେ ଭାରତୀୟମାନେ ମହାଭାରତୀୟ ଭାବରେ ଅନୁପ୍ରାଣିତ ହେଲେ ।

Image

 

ସତ୍ୟର ଅବତାରଣା

 

ଅଶୋକଙ୍କ ଚରିତ୍ରରେ ସତ୍ୟ କି ଧରଣରେ ଆତ୍ମପ୍ରକାଶ କରିଥିଲା, ଏହା ଆଲୋଚନା କରିବା ପୂର୍ବରୁ ଆମ୍ଭମାନଙ୍କୁ ସତ୍ୟର ମହତ୍ତ୍ୱ ପ୍ରଥମେ ଉପଲବ୍‌ଧି କରିବାକୁ ପଡ଼ିବ । ସତ୍ୟ ଅପରିବର୍ତ୍ତନଶୀଳ । ପରିବର୍ତ୍ତନଶୀଳ ଜଗତରେ ସମସ୍ତ ବସ୍ତୁ ମଧ୍ୟରେ ଏହାର ସ୍ଥାନ ଅତି ଉଚ୍ଚରେ । ମାନବଜାତିର ସମୂହ କଲ୍ୟାଣଲାଗି ଏହାର ସ୍ଥାୟିତ୍ୱ ଏକାନ୍ତ ଆବଶ୍ୟକ । ଏଣୁ ସମ୍ମୁନ୍ନତ ଗୁଣ ଯାହାଙ୍କଠାରେ ବିଦ୍ୟମାନ ସେ ସର୍ବଦା ପ୍ରଶଂସାର୍ହ ଅଟନ୍ତି ।

 

ବିନା ସତ୍ୟରେ ଜଗତ ବକ୍ଷରେ କୌଣସି ଜିନିଷ ତିଷ୍ଠି ପାରିବା ସହଜସାଧ୍ୟ ନୁହେଁ । ଅପର ପକ୍ଷରେ ଏହାର ଅନ୍ୟ ନାମ ସୁନିୟମ । ସମସ୍ତ ସୌର ଜଗତ ଏହି ନିୟମରେ ମହାଶୂନ୍ୟ ମଧ୍ୟରେ ଭ୍ରାମ୍ୟମାଣ ଅବସ୍ଥାରେ ରହିଅଛି । ସୂର୍ଯ୍ୟ, ଚନ୍ଦ୍ର, ବୁଧ, ଶୁକ୍ର, ପୃଥିବୀ ଓ ଶନି ପ୍ରଭୃତି ଗ୍ରହ ଉପଗ୍ରହ ପରସ୍ପରଠାରୁ ଲକ୍ଷ ଲକ୍ଷ ବା କୋଟି କୋଟି ମାଇଲ ବ୍ୟବଧାନରେ ଥିଲେ ସୁଦ୍ଧା, ପରସ୍ପରର ପରସ୍ପର ସହିତ ଅବିଚ୍ଛିନ୍ନ ସମ୍ପର୍କ ରହିଛି, ଏହା ବୈଜ୍ଞାନିକମାନେ ସୂକ୍ଷ୍ମ ବିଚାର ସିଦ୍ଧାନ୍ତ କରିଛନ୍ତି । ଭିନ୍ନ ଭିନ୍ନ କ୍ଷେତ୍ରରେ ସତ୍ୟର ଭିନ୍ନ ଭିନ୍ନ କ୍ଷେତ୍ରରେ ସତ୍ୟର ନାମ ଭିନ୍ନ ଭିନ୍ନ ହୁଏ, ଯଥା-ନୈତିକ, ସାମାଜିକ, ଐତିହାସିକ ଓ ଦାର୍ଶନିକ ସତ୍ୟ ଇତ୍ୟାଦି । ସତ୍ୟ ହିଁ ମାନବ ଜୀବନକୁ କ୍ରମଶଃ ବିକାଶ ପଥରେ ପ୍ରଧାବିତ ହେବାକୁ ସୁଯୋଗ ଦେଇଛି, ଏହା ଚିରନ୍ତନ । ଜଞ୍ଜାଳମୟ ଦୁନିଆରେ ମାନବ ଜୀବନ ସତ୍ୟକୁ କେନ୍ଦ୍ର କରି ଶାନ୍ତି ପାଇପାରେ । ଏତଦ୍‌ବ୍ୟତୀତ ପ୍ରତ୍ୟେକ ଧର୍ମ ମଧ୍ୟ ସତ୍ୟ ପଥରେ ପ୍ରତିଷ୍ଠିତ ହୋଇ ଶୃଙ୍ଖଳିତ ସାମାଜିକ ଜୀବନ ନିୟନ୍ତ୍ରଣ କରେ । ବର୍ତ୍ତମାନ କେତେଗୁଡ଼ିଏ ସତ୍ୟର ମହତ୍ତ୍ୱ ଓ ବିଶେଷ ଗୁଣ ଆଲୋଚନା କରାଯାଉ ।

 

ନୈତିକ ସତ୍ୟ–ବ୍ୟକ୍ତି ବିଶେଷ ମଧ୍ୟରେ ଏହା ଆତ୍ମପ୍ରକାଶ କରେ । ସଠିକ୍ ଭାବରେ ଯୁକ୍ତିଯୁକ୍ତ କଥା କହିବା ଦ୍ୱାରା ଆମ୍ଭେମାନେ ଏହାର ଉପକାରିତା ହୃଦୟଙ୍ଗମ କରିପାରୁ । ସମୟ ସମୟରେ ସତ୍ୟକଥା ପ୍ରକାଶ କଲେ ମଧ୍ୟ ଲୋକ ବିପଦର ସମ୍ମୁଖୀନ ହୁଏ । ତାହା ହେଲେ ମଧ୍ୟ ତାପକ୍ଷରେ ସତ୍ୟ କଥା ପ୍ରକାଶ କରିବା ସର୍ବାଦୌ ସଙ୍ଗତ ଓ ସମୀଚୀନ । କାରଣ ଏହାର ମୂଲ୍ୟ ଜୀବନର ମୂଲ୍ୟ ଅପେକ୍ଷା ଯଥେଷ୍ଟ ଅଧିକ । ପିତାମାତା, ଶିକ୍ଷକ ଓ ଗୁରୁଜନଙ୍କ ନିକଟରେ ସତ୍ୟ କଥା କହିବାକୁ ଯେଉଁମାନେ ଭୟ କରନ୍ତି, ସେମାନଙ୍କର ନୈତିକ ଜୀବନର ହ୍ରାସ ଘଟିଥାଏ । କ୍ରମେ ସେମାନେ ମାନବ ପ୍ରବୃତ୍ତିର ନୀଚତମ ସୋପାନକୁ ଅବରୋହଣ କରନ୍ତି । ସତ୍ୟବାଦୀ ଲୋକ ସର୍ବଦା ନିର୍ଭୀକ । ସତ୍ୟବାଦିତା ବଳରେ ସେ ଜଗତରେ ଅସାଧ୍ୟ କାର୍ଯ୍ୟ କରିବାକୁ ସମର୍ଥ ହୋଇଥାଏ । ସତ୍ୟ ଓ ଅହିଂସା ଦୁଇଟି ଗୁଣ ସାହାଯ୍ୟରେ ମହାତ୍ମା ଗାନ୍ଧୀ ମହାମାନବରୂପେ ଜଗତ୍‌ବକ୍ଷରେ ପୂଜା ପାଉଛନ୍ତି । ଗାନ୍ଧୀଙ୍କ ଜୀବନର ପ୍ରଥମ ଭାଗରେ ସତ୍ୟର ଅଭ୍ୟୁଦୟ ହୋଇଥିଲା । ଏହି ସ୍ୱର୍ଗୀୟ ଗୁଣ ସତ୍ୟ ଜଗତର ଅନ୍ୟାନ୍ୟ ସୁଗୁଣଗୁଡ଼ିକୁ ସହଜରେ ଆକର୍ଷଣ କରିପାରେ । ସମାଜ ଓ ବିଶ୍ୱର କଲ୍ୟାଣ ଲାଗି ବ୍ୟକ୍ତିଗତ ନୈତିକ ସତ୍ୟ ଏକାନ୍ତ ଆବଶ୍ୟକ । ଭୀଷ୍ମ ପ୍ରତିଜ୍ଞା ଏହାମଧ୍ୟରେ ସ୍ଥାନପାଇ ପାରେ । ସତ୍ୟକୁ କେନ୍ଦ୍ର କରି ଭୀଷ୍ମ ଆଜୀବନ ବ୍ରହ୍ମଚାରୀ ହୋଇପାରିଥିଲେ । ରାମଚନ୍ଦ୍ର ପିତୃସତ୍ୟ ପାଳି ସସ୍ତ୍ରୀକ ବନଗାମୀ ହୋଇଥିଲେ । ତାଙ୍କ ବନଗମନଦ୍ୱାରା ରଘୁବଂଶର ପ୍ରତିଷ୍ଠା ଓ ଆଦର୍ଶ ବହୁ ପରିମାଣରେ ବଢ଼ି ଯାଇଥିଲା । ଦ୍ୱିତୀୟତଃ ଅତ୍ୟାଚାରୀ ରାବଣ ହତ ହେବାରୁ ତତ୍‌କାଳୀନ ଭାରତରେ ସାମ୍ୟ, ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ସମ୍ଭବ ହୋଇ ପାରି ଥିଲା । ସେ ପିତୃସତ୍ୟ ଭଙ୍ଗ କରିଥିଲେ ରାମାୟଣର ଗତି ବଦଳି ଯାଇଥାନ୍ତା । ଦେଶର ସାମାଜିକ, ଧର୍ମନୈତିକ ଓ ଅର୍ଥନୈତିକ ଜୀବନରେ ସଙ୍କଟ ଉପସ୍ଥିତ ହୋଇ ମାନବ ସମାଜ ଆସନ୍ନ ମୃତ୍ୟୁ ମୁଖରେ ପତିତ ହୋଇଥାନ୍ତା ।

 

ହରିଶ୍ଚନ୍ଦ୍ର, ବଳୀ, କର୍ଣ୍ଣ, ଯୁଧିଷ୍ଠିର ଓ ଲକ୍ଷ୍ମଣ ପ୍ରଭୃତି ମନୀଷୀଗଣ ଜୀବନରେ ଯେଉଁ ବ୍ୟକ୍ତିଗତ ନୈତିକ ସତ୍ୟର ସନ୍ଧାନ ପାଇଥିଲେ, ତାହାକୁ କାର୍ଯ୍ୟରେ ପରିଣତ କରି ଜଗତରେ ଉଚ୍ଚ ଆସନର ନମୁନା ଦେଖାଇ ଯାଇଛନ୍ତି । ସେହି ଆଦର୍ଶ ଯୁଗ ଯୁଗ ବ୍ୟାପି ସମସ୍ତ ଜଗତକୁ ପ୍ରଭାବିତ କରି ଆସୁଥିବ । ଏକଲବ୍ୟ ଯେଉଁ ସତ୍ୟବଳରେ ଦ୍ରୋଣାଚାର୍ଯ୍ୟଙ୍କୁ ଗୁରୁଦକ୍ଷିଣା ପ୍ରଦାନ କରିଗଲେ ତାହା ଚିରଦିନପର୍ଯ୍ୟନ୍ତ ଧରାବକ୍ଷରେ ଲିପିବଦ୍ଧ ହୋଇ ରହିବ । ଯେତେଦିନ ପର୍ଯ୍ୟନ୍ତ ଜଗତବକ୍ଷରେ ଛାତ୍ରସମାଜ ତିଷ୍ଠି ପାରିଛି, ସେ ପର୍ଯ୍ୟନ୍ତ ଏକଲବ୍ୟର ଉଦାହରଣ ସେମାନଙ୍କ ସମ୍ମୁଖରେ ଗୋଟିଏ ଆଲୋକ ଶିକ୍ଷା ସ୍ୱରୂପ ଜାଜ୍ଜ୍ୱଲ୍ୟମାନ ରହି ଅଜ୍ଞାନଜଗତକୁ ଆଲୋକିତ କରୁଥିବ । ହରିଶ୍ଚନ୍ଦ୍ର, କର୍ଣ୍ଣ, ବଳୀ, ସତ୍ୟବଳରେ ସର୍ବସ୍ୱ ତ୍ୟାଗ କରିଥିଲେ । ଲକ୍ଷ୍ମଣ ଭ୍ରାତୃଭକ୍ତିରୂପକ ସତ୍ୟର ପରାକାଷ୍ଠା ଦେଖାଇ ଜଗତକୁ ବିଶେଷ ଦାନ ଦେଇଯାଇଛନ୍ତି । ପିତୃମାତୃଭକ୍ତି, ଭ୍ରାତୃଭକ୍ତି ପ୍ରଭୃତି ସ୍ୱର୍ଗୀୟ ଗୁଣଗୁଡ଼ିକୁ ନୈତିକ ସତ୍ୟ ଆକର୍ଷଣ କରେ । ଶୃଙ୍ଖଳା, ନିୟମାନୁବର୍ତ୍ତିତା ପ୍ରଭୃତି ଗୁଣଗୁଡ଼ିକ ଏହାମଧ୍ୟରେ ବିରାଜିତ ରହି ଏହାକୁ ସର୍ବାଙ୍ଗସୁନ୍ଦର କରିଥାଆନ୍ତି । ସାହସ, ଧୈର୍ଯ୍ୟ, ସାହଚର୍ଯ୍ୟ ଓ ପରିଚର୍ଯ୍ୟା ନୈତିକ ସତ୍ୟର ଗୋଟିଏ ଗୋଟିଏ ଭୂଷଣ କହିଲେ ଅତ୍ୟୁକ୍ତି ହେବନାହିଁ । ସ୍ନେହ, ଶ୍ରଦ୍ଧା ଓ ବିନୟ ଏହାର ଅନ୍ତର୍ଗତ । ଏହି ଗୁଣ ଗୁଡ଼ିକୁ ଧାରଣକରି ମନୁଷ୍ୟ ଜଗତର ମହୋପକାର ସାଧନ କରିବା ପାଇଁ ତିଳେମାତ୍ର ତ୍ରୁଟି କରେନାହିଁ । ନୈତିକ ସତ୍ୟର ପ୍ରଭାବରେ ପୁତନୋନ୍ମୁଖ ସମାଜ ଯଥେଷ୍ଟ ପରିମାଣରେ ଅଗ୍ରଗତି କରେ ।

 

ବୁଦ୍ଧ, ଗାନ୍ଧୀ, ଲାଉସସେ, ଶଙ୍କର, ନାନକ, କନଫୁସିଅସ, ଓ ଯୀଶୁଙ୍କ ଜୀବନରେ ପ୍ରତିଷ୍ଠିତ ସତ୍ୟ, ଦେଶ ତଥା ଜାତିର ରୂପ ବଦଳାଇ ପାରିଛି । ଗୋଟିଏ ଉକ୍ତିରୁ ଜଣାପଡ଼େ ଏହି ସତ୍ୟର ଆଧିକ୍ୟ ପ୍ରବଳ ଭାବରେ ଅଶୋକଙ୍କ ହୃଦୟରେ ଅନୁଭୂତ ହୋଇଥିଲା । ସେ କହିଥିଲେ, ‘‘ହିଂସା ପ୍ରଣୋଦିତ ତରବାରୀର ଜୟ ଜୟ ନୁହେଁ ।’’ ଏପରି ଉକ୍ତି ଉତିହାସରେ କୌଣସି ବ୍ୟକ୍ତି ପ୍ରକାଶ କରିବାର ଦେଖାଯାଇନାହିଁ । ସେହି ସତ୍ୟ ସେ ଏକା ପାଳନ କରିଥିଲେ ତାହା ନୁହେଁ । ସାମ୍ରାଜ୍ୟର ସମସ୍ତ ଲୋକ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଏହି ସତ୍ୟବଳରେ ସେ ଆଜି ଜଗତର ନମସ୍ୟ ହୋଇପାରିଛନ୍ତି । ତାଙ୍କ ବ୍ୟକ୍ତିଗତ ସତ୍ୟ ଜଗତବାସୀଙ୍କର ଅନୁକରଣୀୟ । ଏହା କମ୍ ଗୌରବର କଥା ନୁହେଁ ।

 

ସାମାଜିକ ସତ୍ୟ–ସାମାଜିକ ପ୍ରାଣୀରୂପେ ମାନବ ଯେଉଁ ସତ୍ୟପଥ ଉପରେ ନିଜର ଗତି ଆରମ୍ଭ କରେ ତାହାକୁ ସାମାଜିକ ସତ୍ୟ କହନ୍ତି । ସମାଜ କୌଣସି ଏକ ଧରାବନ୍ଧା ନିୟମରେ ପରିଚାଳିତ ହୁଏ । ତେଣୁ ଭିନ୍ନ ଭିନ୍ନ ସମାଜର ନିୟମ ମଧ୍ୟ ଭିନ୍ନ ହୁଏ । ଦେଶମଧ୍ୟରେ କୌଣସି ବିଭ୍ରାଟର ସୂତ୍ରପାତ ହେବାକୁ ଅବସର ମିଳେନାହିଁ । ସାମାଜିକ ସତ୍ୟର ଅପଚୟ ଘଟିଲେ ସମାଜ ଅବନତି ପଥରେ ପ୍ରଧାବିତ ହୁଏ । ଏପରିକି ସେ ସମାଜ ବା ଗୋଷ୍ଠୀ କାଳକ୍ରମେ ଧରାପୃଷ୍ଠରୁ ବିଲୁପ୍ତ ହୁଏ ।

 

କ୍ରୀଟ ଦେଶରେ ମିନୋଆନସ ନାମକ ଏକ ଜାତି ବାସକରୁଥିଲେ । ସେମାନେ ସୁନାବିକ ଓ ସୁବଣିକ ରୂପେ ଜଗତରେ ପ୍ରସିଦ୍ଧିଲାଭ କରିଥିଲେ । ଯେଉଁ ସମୟରେ ଏହି ଇତିହାସପ୍ରସିଦ୍ଧ ଜାତି ସାମାଜିକ ନିୟମ ବା ସତ୍ୟ ଭଗ୍ନକରିଛି ଠିକ୍ ତାର ପର ମୁହୂର୍ତ୍ତରେ ନୂତନ ଆଗନ୍ତୁକ ଜାତିଦ୍ୱାରା ସମ୍ପୂର୍ଣ୍ଣରୂପେ ପରାଭୂତ ହୋଇଛି । ଆଜିକାଲି ପୃଥିବୀ ପୃଷ୍ଠରେ ଏହି ଜାତିର ଚିହ୍ନବର୍ଣ୍ଣ ସୁଦ୍ଧା ଦୃଷ୍ଟିଗୋଚର ହୁଏନାହିଁ । ଅଧୁନା ଦେଖାଯାଏ ଯେଉଁ ଜାତି ଯେତେ ଉନ୍ନତ ଓ ସଭ୍ୟ, ସେ ଜାତିର ସାମାଜିକ ସତ୍ୟ ସେତେ ଦୃଢ଼ । ସତ୍ୟର ଦୃଢ଼ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇ ଦିନେ ଇଂରେଜ ଜାତି ସଭ୍ୟତାର ଚରମସୀମାରେ ଉପନୀତ ହୋଇପାରିଥିଲା । ସେହି ସତ୍ୟବଳରେ ଭାରତ ତାହାର ଅପହୃତ ସ୍ୱାଧୀନତା ଫେରିପାଇଛି । ସତ୍ୟ ସମାଜର ମୂଳପିଣ୍ଡ, ଜାତିର ମୂଳଦୁଆ ଓ ଦେଶର ଦୃଢ଼ ଭିତ୍ତି । ଅଶୋକଙ୍କ ସମୟରେ ସମାଜ ମଧ୍ୟରେ ଉତ୍ତମରୂପେ ଶାନ୍ତି ଶୃଙ୍ଖଳା ଆସି ପାରିଥିଲା । ଶୃଙ୍ଖଳିତ ସାମରିକ ଜୀବନ ଯାପନ କରିବା ହେତୁ ମାନବ ଶାନ୍ତିରସ ଆସ୍ୱାଦନ କରିବାକୁ ଯଥେଷ୍ଟ ସୁବିଧା ଓ ସୁଯୋଗ ପାଇଥିଲା ।

 

ଐତିହାସିକ ସତ୍ୟ–ଏହି ସତ୍ୟ ମାନସସମାଜକୁ ଅଭିନବ ଦାନ ଦେଇଛି ଓ ଜ୍ଞାନର ପନ୍ଥା ସୁଗମ କରିଦେଇଛି । ଏହା ମୁମୂର୍ଷୁ ଜାତି ଓ ଦେଶ ପ୍ରାଣରେ ଜୀବନୀ ଶକ୍ତି ସଂଚାର କରେ ।

 

ପ୍ରତ୍ନତତ୍ତ୍ୱ ଗବେଷଣା ଫଳରେ ମାନବ ନୀରସ ପ୍ରସ୍ତର, ଜରାଜୀର୍ଣ୍ଣ ଦୁର୍ଗ, ଅଟ୍ଟାଳୀ ଓ ମନ୍ଦିରମାନଙ୍କରୁ ନୂତନ ତଥ୍ୟ ଆହରଣ କରେ । ଦେଶର ପ୍ରାଚୀନ ନୀତି ସହିତ ଆଧୁନିକ ନୀତିର ସମନ୍ୱୟ ପ୍ରତିପାଦନ କରିବା ଏହାର ଉଦ୍ଦେଶ୍ୟ । ଏହାଦ୍ୱାରା ମାନବ ପ୍ରାଣରେ ଉତ୍ତମ ରୂପେ ଦେଶାତ୍ମବୋଧ ଜାଗ୍ରତ ହୁଏ । ଚିତ୍ତବୃତ୍ତିର ବିକାଶ ସାଧନ ଓ ମାନସିକ ଆନନ୍ଦ ନିମିତ୍ତ ଐତିହାସିକ ଉପାଦାନରୁ ଆମ୍ଭେମାନେ ବହୁତଥ୍ୟ ସଂଗ୍ରହ କରିପାରୁ । ଉପଯୁକ୍ତ ପ୍ରମାଣ ଅଭାବରେ ଆମ୍ଭେମାନେ କୌଣସି ଘଟଣାକୁ ସତ୍ୟ ବୋଲି ସ୍ୱୀକାର କରି ପାରିବା ନାହିଁ । ଉଦାହରଣ ସ୍ୱରୂପ, ହନୁମାନ ମସ୍ତକରେ ପର୍ବତ ଧାରଣ କରି ଆକାଶରେ ବିଚରଣ କରି ପାରୁଥିଲା । ଅଗସ୍ତି ସପ୍ତସିନ୍ଧୁର ଜଳ ପାନ କରି ସାଗର ଶୁଷ୍କ କରି ଦେଇଥିଲେ । ଏଥିରେ ସତ୍ୟତା ଥିବାର ଅନୁମିତ ହୁଏ ନାହିଁ । କାରଣ କୌଣସି ଉପଯୁକ୍ତ ପ୍ରମାଣ ଏ ବିଷୟରେ ଦିଆଯାଇ ପାରେନା । ସୈନ୍ଧବ ଉପତ୍ୟକାର ମହେଞ୍ଜୋଦାରୋ ଓ ହରପ୍‌ପା, ମେସୋପଟାମିଆର ଉର ସହର ଖନନ କରିବାରୁ ଅଢ଼େଇ ହଜାର ବର୍ଷର ଘଟଣାବଳୀ ପ୍ରାଚୀନ ବସ୍ତୁ ଓ ଲିପି ସାହାଯ୍ୟରେ ଜଣା ପଡ଼ିଛି । ଆମ୍ଭେମାନେ ସେଗୁଡ଼ିକୁ କୌଣସି ମତେ ମିଥ୍ୟା ବୋଲି ସ୍ୱୀକାର କରି ପାରିବା ନାହିଁ । ତେଣୁ ଐତିହାସିକ ସତ୍ୟ ସନ୍ଧାନଦ୍ୱାରା ଆମ୍ଭେମାନେ ପ୍ରାଚୀନ ଯୁଗର ଇତିବୃତ୍ତ ସମ୍ବନ୍ଧରେ ସମ୍ୟକ୍ ଜ୍ଞାତ ହୋଇ ଦେଶକୁ ତତ୍କାଳୀନ ଉଚ୍ଚ ଆଦର୍ଶରେ ଉଦ୍‌ବୁଦ୍ଧ କରି ପାରିବା । ଏହି ସତ୍ୟ ବଳରେ ପତନୋନ୍ମୁଖ ଜାତି ଓ ଦେଶ ଆଶୁ ଉନ୍ନତି ପଥରେ ପ୍ରଧାବିତ ହୁଏ ।

 

ଐତିହାସିକ ସତ୍ୟ ଅନେକାଂଶରେ ସାମାଜିକ କୁସଂସ୍କାର ଦୂରୀକରଣରେ ସାହାଯ୍ୟ କରିବାକୁ ସମର୍ଥ ହୋଇଥାଏ । ଅଶୋକଙ୍କ ଉପରେ ଏହି ସତ୍ୟ ଯଥେଷ୍ଟ ପ୍ରଭାବ ପକାଇଥିଲା । ସେହି ସତ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେ ଶିଳାଲିପି ଉଦ୍ଭାବନ କରିଥିଲେ । ଏହି ସତ୍ୟ ପ୍ରଭାବରେ ସେ ବୌଦ୍ଧଧର୍ମର ସାରବତ୍ତା ଉପଲବ୍‌ଧି କରି ସେହି ଧର୍ମରେ ଦୀକ୍ଷିତ ହୋଇଥିଲେ ।

 

ବୈଜ୍ଞାନିକ ସତ୍ୟ–ଏହି ସତ୍ୟ ଉଦ୍‌ଘାଟନ ଫଳରେ ମାନବ ଜାତିର ଅଶେଷ କଲ୍ୟାଣ ସାଧିତ ହୋଇଅଛି । ଆର୍କମେଡ଼ଙ୍କ ଜଳସୂତ୍ର, ନିଉଟନଙ୍କର ମାଧ୍ୟାକର୍ଷଣ ଓ ମାଇକେଲ ଫାରାଡେଙ୍କର ବୈଦ୍ୟୁତିକ ଆଲୋଚନା ବିଶ୍ୱ ସମୃଦ୍ଧିରେ ଯଥେଷ୍ଟ ସାହାଯ୍ୟ କରିଛି । ରେଲ୍, ମୋଟର, ବ୍ୟୋମଯାନ, ବିଭିନ୍ନ ଯନ୍ତ୍ରପାତି ଓ ବେତାର ପ୍ରଭୃତି ଅଭିନବ ଉଦ୍ଭାବନ ସମୟ ସଂଗେ ଦୂରତାକୁ ସହଜରେ ଜୟ କରି ପାରିଛି । ବିଭିନ୍ନ ନବାବିଷ୍କୃତ ଔଷଧଦ୍ୱାରା ମାନବ ଜାତିର ମହୋପକାର ସାଧିତ ହୋଇଛି ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ସୃଷ୍ଟି ଆରମ୍ଭ କାଳରୁ ବୈଜ୍ଞାନିକ ସତ୍ୟର ଆଲୋକ ମାନବ ଜାତି ପାଇପାରିଛି । ଜଳ ଓ ଅଗ୍ନିର ବିଶେଷ ଧର୍ମ ସମ୍ବନ୍ଧରେ ଦିନେ ନା ଦିନେ ନଗ୍ନ ମାନବ ଅବଗତ ହୋଇ ପାରିଥିଲା । ଅସଭ୍ୟ ଓ ବର୍ବର ମସ୍ତିଷ୍କରେ କ୍ଷୁଦ୍ରାକାରରେ ବୈଜ୍ଞାନିକ ସତ୍ୟ ଉଦ୍ଭବ ହୋଇ ଆଜି ତାହାକୁ ସଭ୍ୟତାର ଶିଖର ପ୍ରଦେଶରେ ଆରୋହଣ କରିବାକୁ ସୁଯୋଗ ପ୍ରଦାନ କରିଛି । ବିଜ୍ଞାନ ସଭ୍ୟତାର ମାପକାଠି । ତେଣୁ ସତ୍ୟହିଁ ସଭ୍ୟତାର ପରିମାପକ ।

 

ମହାମନା ଅଶୋକଙ୍କ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟର ସମ୍ମୁନ୍ନତ କଲ୍ୟାଣ ସାଧିତ ହୋଇଥିଲା । ଜ୍ଞାନର ପରିସର ବଢ଼ି ଯାଇଥିଲା । ବୈଦିନ ଯୁଗ ଅପେକ୍ଷା ତାଙ୍କ ସମୟରେ ବିଜ୍ଞାନ ଚର୍ଚ୍ଚା ବହୁଳ ଭାବରେ ହେଉଥିବାର ଅନୁମିତ ହୁଏ । ତା ନ ହୋଇଥିଲେ ତାଙ୍କ ସମୟରେ ଉନ୍ନତ କଳା ପରିଦୃଷ୍ଟ ହୋଇ ନ ଥାନ୍ତା । ବିଜ୍ଞାନର ଅଗ୍ରଗତି ସଂଗେ ଯୁଗ ମଧ୍ୟ ଆଗେଇ ଚାଲେ । ଅଶୋକଙ୍କ ସମୟରେ ଯେଉଁ ଧରଣର ବୈଜ୍ଞାନିକ ଆଲୋଚନା ହେଉଥିଲା ବିଂଶ ଶତାବ୍ଦୀରେ ତା’ଠାରୁ ଉତ୍କୃଷ୍ଟ ଧରଣର ବିଜ୍ଞାନ ଚର୍ଚ୍ଚା ଚାଲିଛି ଏଥିରେ ସନ୍ଦେହ ନାହିଁ । ମାତ୍ର ସେ ସମୟରେ ରାଜ୍ୟ ଦରବାର ମାନଙ୍କରେ ବୈଜ୍ଞାନିକ ଓ ଗୁଣୀମାନଙ୍କର ଯଥେଷ୍ଟ ଆଦର ଥିଲା ।

 

ଦାର୍ଶନିକ ସତ୍ୟ–ବୈଦିକ ଯୁଗରେ ପୁଣ୍ୟ ଭାରତଭୂମିର ଦୃଶବ୍ଦତୀ ନଦୀ କୂଳରେ ଦାର୍ଶନିକ ଚିନ୍ତାର ମୌଳିକତା ଉନ୍ନତ ଆର୍ଯ୍ୟ ମସ୍ତିଷ୍କରେ ପ୍ରବେଶ କରିଥିଲା । ବେଦ ବେଦାଙ୍ଗ, ଉପନିଷଦ ଓ ଷଡ଼ ଦର୍ଶନର ଗଭୀର ତତ୍ତ୍ୱ ଆଲୋଚନା କଲେ ଜଣାଯାଏ, ସେଗୁଡ଼ିକ ମଧ୍ୟରେ ଅତ୍ୟୁନ୍ନତ ସତ୍ୟ ନିହିତ ଅଛି । ପୃଷ୍ଠର ସୌନ୍ଦର୍ଯ୍ୟ, ନଦୀ, ପୁଷ୍କରିଣୀ ଜଳର ନୀଳିମା, ବିସ୍ତୃତ ବାଲୁକାମୟ ମରୁଭୂମିର ବିକଟ ଦୃଶ୍ୟ, ଫେନିଳ ତରଙ୍ଗାୟିତ ପ୍ରଶାନ୍ତ ମହାସାଗରର ରୁଦ୍ରକାନ୍ତ ଛବି ଓ ବ୍ୟାଘ୍ର-ଭଲ୍ଲୁକ-ସେବିତ ଶ୍ୟାମଳ ଅରଣ୍ୟାନୀ ସନ୍ଦର୍ଶରେ ମାନବ ଯୁଗପତ୍‌ ଆନନ୍ଦ ଓ ବିସ୍ମୟରେ ନିମଜ୍ଜିତ ହୁଏ ଓ ତା ମନରେ ଅଭିନବ ଦାର୍ଶନିକ ଚିନ୍ତାଧାରା ଉଦୟ ହୁଏ । ଏହି ଉନ୍ନତ ଆଲୋଚନା କ୍ଷୁଦ୍ର ମାନବ ପ୍ରାଣରେ ଐଶ୍ୱରିକ ସତ୍ୟ ଜାଗ୍ରତ କରାଏ । ସସୀମ ମାନବ ବିଶ୍ୱର ଅସୀମତା ମଧ୍ୟରେ ନିଜର ଅସ୍ତିତ୍ୱ ହରାଇ ବସେ ।

 

ଦାର୍ଶନିକ ତଥ୍ୟାଲୋକ ପାଇବା ମାନବ ପକ୍ଷରେ ଦୁରୂହ ବ୍ୟାପାର ଅଟେ । ଏହାଦ୍ୱାରା ସତତ ଐଶ୍ୱରୀକ ଚିନ୍ତା ଜାଗ୍ରତ ହୋଇ ପାପପୂର୍ଣ୍ଣ ସଂସାରର ଗୁରୁଭାର କିୟତ୍ ପରିମାଣରେ ଲାଘବ କରେ । ଜୀବନ ଓ ମୃତ୍ୟୁ ବିଷୟରେ ଚିନ୍ତାକଲେ ସହଜରେ ଅନୁମିତ ହୁଏ, ମହାବୀର ସିକନ୍ଦର, ନେପୋଲିୟନ ଓ ହିଟଲରଙ୍କ ସ୍ଥାନଠାରୁ ଗୋଟିଏ ପଥର ଭିକାରୀର ସ୍ଥାନ କୌଣସି ମତେ ନ୍ୟୂନ ନୁହେଁ । ଅସ୍ଥାୟୀ ସଂସାରରେ ସମସ୍ତ ବସ୍ତୁର ସ୍ଥାୟିତ୍ୱ ଅସମ୍ଭବ । କେବଳ ସତ୍ୟହିଁ ସତ୍ୟ । ତାହା ଚିରଦିନ ଜଗତକୁ ରଜ୍ଜୁ ରୂପେ ବାନ୍ଧି ରଖିଛି । ଯେଉଁଦିନ ସେହି ରଜ୍ଜୁ ଛିନ୍ନ ହେବ ସେଦିନ ବିଶ୍ୱ ବ୍ରହ୍ମାଣ୍ଡର ଅସ୍ତିତ୍ୱ ରହିବ ନାହିଁ । ସତ୍ୟ ଜୀବନ ସଂଗ୍ରାମର ଏକ ପ୍ରଧାନ ଅସ୍ତ୍ର । ଏହାକୁ ତ୍ୟାଗ କଲେ ମାନବ ନାନା ଦୁଃଖ ଜଞ୍ଜାଳ ମଧ୍ୟ ଦେଇ ଗତି କରି ଅଳ୍ପାୟୁଷ ହୁଏ । ଶେଷତଃ ଜୀବନକୁ ବିଷମୟ ବୋଧ କରେ । ଏହି ସତ୍ୟ ବଳରେ ଅଶୋକ ଜଣେ ଉପଯୁକ୍ତ ଦାର୍ଶନିକ ହୋଇ ପାରିଥିଲେ । ଖୁବ୍ ଅଳ୍ପ ସମୟ ମଧ୍ୟରେ ବୌଦ୍ଧ ଦର୍ଶନ ତାଙ୍କ ହୃଦୟ ପ୍ରଦେଶ ଅଧିକାର କରିଥିଲା । ସେହି ଦର୍ଶନର ଗଭୀର ଆଲୋଚନା ଫଳ ପୃଥିବୀର ଅର୍ଦ୍ଧାଧିକ ଲୋକଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥିଲା । ବୌଦ୍ଧ ଧର୍ମ ଯେଉଁ ସତ୍ୟ ଉପରେ ପ୍ରତିଷ୍ଠିତ ହୋଇଛି, ବୌଦ୍ଧରାଜ ଅଶୋକ ସ୍ୱୀୟ ମହୀୟସୀ ଶକ୍ତିର ଅଦ୍ଭୁତ ପରିଚୟ ପ୍ରଦାନ କରିଛନ୍ତି ।

 

ସତ୍ୟ, ଜଗତରେ ଅଜର ଓ ଅମର । ଯାହା ପ୍ରାଣରେ ସତ୍ୟ ସଞ୍ଚାର ହୁଏ, ସେ ବିଶ୍ୱକୁ ଅପୂର୍ବ ଦାନ ଦେଇଯାଏ । ତାହାର ବିମଳ କୀର୍ତ୍ତି ନଶ୍ୱର ସଂସାରରେ ଚିରଦିନ ଦେଦୀପ୍ୟମାନ ରହେ । ଏହି ଦୃଷ୍ଟିରୁ ବୌଦ୍ଧରାଜ ଅଶୋକ ସତ୍ୟର ଏକ ଅବତାର କହିଲେ ଅତ୍ୟୁକ୍ତି ହେବନାହିଁ ।

Image

 

ଉପସଂହାର

 

ମହାମାନବ ଗାନ୍ଧୀ ଉତ୍ତମ ରୂପେ ଅଶୋକ ଓ ବୁଦ୍ଧଙ୍କ ମାର୍ଗ ଦେଖି ପାରିଥିଲେ । ସେ ସତ୍ୟନିଷ୍ଟ ଥିଲେ ବୋଲି, ତାଙ୍କ ଜୀବନର ପ୍ରଥମାବସ୍ଥାରେ ଜଣା ପଡ଼ିଥିଲା । କ୍ରମେ କ୍ରମେ ସେ ବିଭିନ୍ନ ବିଷୟ ଚିନ୍ତା କରିବାରୁ ବୌଦ୍ଧଧର୍ମର ମୂଳନୀତି ଅହିଂସା ତାଙ୍କ ଉପରେ ପ୍ରଭାବ ବିସ୍ତାର କଲା । ଭାରତମାତା ଶତାବ୍ଦୀଭରା ପରାଧୀନତା ରୂପକ ନିଗଡ଼ରେ ଆବଦ୍ଧ ହୋଇଥିଲା । ଭାରତୀୟ ଜାତୀୟ କଂଗ୍ରେସ ଅକ୍ଟୋଭିୟମ ହ୍ୟୁମଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହାର ଉତ୍ତରୋତ୍ତର ଶ୍ରୀବୃଦ୍ଧି ସାଧନ ନିମନ୍ତେ, ସହସ୍ୟାଧିକ ଦେଶପ୍ରେମୀ ବ୍ୟକ୍ତି ଜୀବନ ଉତ୍ସର୍ଗ କରିଥିଲେ ସୁଦ୍ଧା, ଏହି ମହାଭାରତୀୟ ଅନୁଷ୍ଠାନର ଲକ୍ଷ୍ୟସାଧନପଥ ସ୍ଥିରୀକରଣରେ ସମସ୍ତେ ଅକୃତକାର୍ଯ୍ୟ ହୋଇଛନ୍ତି । ମାତ୍ର ମହାତ୍ମା ଗାନ୍ଧୀ ସ୍ୱାଧୀନତାର ଉପଯୁକ୍ତ ପନ୍ଥା ଉଦ୍ଭାବନ କରିବାକୁ ସମର୍ଥ ହୋଇଥିଲେ । ତାହା ହେଉଛି ସତ୍ୟ ଓ ଅହିଂସା । ସତ୍ୟ ଓ ଅହିଂସାକୁ ମୂଳଭିତ୍ତି କରି ଅଶଷାକ ଓ ବୁଦ୍ଧ ଜଗତର ଆଦର୍ଶ ହୋଇ ପାରିଥିଲେ । ଏହି ବିଜ୍ଞାନ ଯୁଗରେ ମହାପୁରୁଷ ଗାନ୍ଧୀ ହେଉଛନ୍ତି ବିଶ୍ୱର ଆଦର୍ଶ । ସେ ରାଜନୀତି ଓ ଧର୍ମନୀତିର ସମନ୍ୱୟ ଆଣି ପାରିଥିଲେ । ପ୍ରତ୍ୟହ ପ୍ରାର୍ଥନା ସଭାରେ ଲୋକମାନଙ୍କ ମନରୁ ପ୍ରାଦେଶିକତା ଓ ଦଳଗତ ଭାବ ଦୂର କରି ମହାଭାରତୀୟ ଭାବରେ ସେମାନଙ୍କୁ ଉଦ୍‌ବୁଦ୍ଧ କରିବା ପାଇଁ ସେ ନିମ୍ନଲିଖିତ ଗାନ କରୁଥିଲେ ।

 

ରଘୁପତି ରାଘବ ରାଜା ରାମ,

ପତିତ ପାବନ ସୀତା ରାମ ।

ଈଶ୍ୱର ଆଲ୍ଲା ତେରେ ନାମ,

ସବକୋ ସନମତି ଦେ ଭଗବାନ ।

 

ଗାନ୍ଧୀଜୀଙ୍କ ବ୍ୟକ୍ତିଗତ ଲେଖାରୁ ଜଣାପଡ଼େ ଯେ, ସେ ସମସ୍ତ ଧର୍ମକୁ ସମ୍ମାନ ପ୍ରଦର୍ଶନ କରୁଥିଲେ । ସମଗ୍ର ଜଗତରେ ବର୍ତ୍ତମାନ ବିଜ୍ଞାନ ତୃଷ୍ଣା ବଢ଼ି ଚାଲିଛି । ଭୀଷଣ ମାରଣାସ୍ତ୍ର ଆଟମବୋମା ପ୍ରୟୋଗରେ ଜୀବଜଗତ ଯେ କୌଣସି ମୁହୂର୍ତ୍ତରେ ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇପାରେ ଏହା ନିଃସନ୍ଦେହ । ଯେଉଁ ବୌଦ୍ଧରାଜ ଅଶୋକ ସତ୍ୟ ଓ ଅହିଂସା ବଳରେ ଜଗତରେ ଶାନ୍ତିମନ୍ତ୍ର ଉଚ୍ଚାରଣ କରିଥିଲେ, ତାକୁହିଁ ସଞ୍ଜୀବିତ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କର ହୃଦୟ ସର୍ବଦା ବ୍ୟାକୁଳ ହୋଇ ଉଠିଥିଲା ।

 

ବିଶ୍ୱଶାନ୍ତି କେବଳ ଅହିଂସାଦ୍ୱାରା ପ୍ରତିଷ୍ଠିତ ହୋଇ ପାରିବ ବୋଲି ପୃଥିବୀର ଚିନ୍ତାଶୀଳ ବ୍ୟକ୍ତଗଣ ହୃଦୟଙ୍ଗମ କଲେଣି । ଭାରତର ଜାତୀୟ ପତାକାରେ ଅଶୋକ ଚକ୍ର ଚିହ୍ନିତ ହୋଇଛି । ଏଥିରୁ ଜଣାଯାଏ, ବୌଦ୍ଧରାଜ ଅଶୋକଙ୍କ କାର୍ଯ୍ୟାବଳୀ ଯୁଗଯୁଗବ୍ୟାପୀ ଅମରାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସ୍ୱାଧୀନ ଭାରତର ଡାକ ଟିକଟଠାରୁ ଆରମ୍ଭ କରି ବିଭିନ୍ନ ପତ୍ର ପତ୍ରାଦିରେ ବୌଦ୍ଧରାଜ ଅଶୋକଙ୍କର ଛବି ପ୍ରକାଶିତ ହେଉଛି ସତ, କିନ୍ତୁ ତଦ୍ଦ୍ୱାରା ଆମ୍ଭେମାନେ ତାଙ୍କ ପ୍ରତି ବିଶେଷ ସମ୍ମାନ ପ୍ରଦର୍ଶନ କରୁଥାଇଁ ବୋଲି ଭାବିବା ଭ୍ରମାତ୍ମକ । ସ୍ୱାଧୀନ ଭାରତର ପ୍ରତ୍ୟେକ ନାଗରିକ ତାଙ୍କ ନୀତିବାଣୀ ମାନି ସେହି ଅନୁସାରେ କାର୍ଯ୍ୟ କଲେ, ଦେଶର ମଙ୍ଗଳ ଅବଶ୍ୟମ୍ଭାବୀ-। କନଫ୍ୟୁସୀଅସ, ଲାଉପେ, ବୁଦ୍ଧ ଓ ସର୍ବୋପରି ଅଶଷାକଙ୍କ ନୀତିବାକ୍ୟ ଚୀନ୍‌ଦେଶର ଲୋକେ ଯୁଗ ଯୁଗ ଧରି ମାନି ନେଇଥିବାରୁ, ସେମାନେ ଶାନ୍ତିପ୍ରିୟ ଓ ଚିର ସ୍ୱାଧୀନ ଜାତି ରୂପେ ପୃଥିବୀ ପୃଷ୍ଠରେ ପରିଗଣିତ ହେଉଛନ୍ତି । ସେହିପରି ଆମ୍ଭେମାନେ ଯେବେ ବୌଦ୍ଧରାଜ ଅଶୋକଙ୍କ ଆଦେଶ ମାନି ଦେଶ ସକାଶେ ଅଶେଷ ତ୍ୟାଗ ସ୍ୱୀକାର କରି ପାରିବା ଓ ମହାଭାରତୀୟ ଭାବ ହୃଦୟରେ ପୋଷଣ କରିବା, ତାହା ହେଲେ ପୂର୍ବ ସୁନାର ଭାରତ ଫେରି ଆସିବ । ଦୈନ୍ୟ, ନିର୍ଯ୍ୟାତନା ଓ ବିଷାଦ କାଳିମାଦ୍ୱାରା ଆମ ଦେଶ ଆବୃତ ହେବ ନାହିଁ ।

 

ତଥାପି ଦେଶର ପ୍ରଧାନ ପ୍ରଧାନ ସହର ଓ ପ୍ରାକୃତିକ ସ୍ଥାନ ମାନଙ୍କରେ ବୌଦ୍ଧ ରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଲାଗି ଓ ତାଙ୍କ ନାମ ଚିରସ୍ମରଣୀୟ ରଖିବା ପାଇଁ ତାଙ୍କ ନାମରେ ସୁନ୍ଦର ସୁନ୍ଦର ଉଦ୍ୟାନ, ସ୍ତମ୍ଭ, ଷ୍ଟେସନ ଓ ମନ୍ଦିର ପ୍ରଭୃତି ନିର୍ମିତ ହେବା ଉଚିତ । ବୌଦ୍ଧରାଜ ଅଶୋକଙ୍କ ମୂର୍ତ୍ତି ସଂଗେ ମହାପୁରୁଷ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ରହିବା ଶ୍ରେୟସ୍କର । ଯେଉଁ ଦେଶ ବା ଜାତି ବୀରପୂଜା କରି ଜାଣେ ନାହିଁ । ତାର ସ୍ୱାଧୀନତା କ୍ଷଣସ୍ଥାୟୀ ହେବ । ସ୍ୱାଧୀନତା ଚିରଦିନ ବଜାୟ ରଖିବାକୁ ହେଲେ, ଆମ୍ଭମାନଙ୍କର ପ୍ରଧାନ ଓ ପ୍ରଥମ କର୍ତ୍ତବ୍ୟ ଆଦର୍ଶ ନରପତି, ଧର୍ମପ୍ରଚାରକ ଓ ମହାମାନବ ବୌଦ୍ଧରାଜ ଅଶୋକଙ୍କର ନୀତି ଓ ଉପଦେଶ ଗୁଡ଼ିକ ଅବଲମ୍ବନରେ ରାଷ୍ଟ୍ର ଶାସନ କରିବା ଉଚିତ ।

Image